ପାଠ୍ୟ ପୁସ୍ତକରେ ଆଉ ରହିବ ନାହିଁ କୌଣସି କମ୍ପାନୀର ଉତ୍ପାଦ ଚିତ୍ର

ଭୁବନେଶ୍ୱର: ତୃତୀୟ ଶ୍ରେଣୀ ପିଲାଙ୍କ ବହିର ପ୍ରଥମ ପୃଷ୍ଠାରେ ଚକୋଲେଟ, ହର୍ଲିକ୍ସ, ଲୁଣ, ଥଣ୍ଡାପାନୀୟ ଓ ବିସ୍କୁଟ ଆଦି ସମ୍ପର୍କରେ ପଢ଼ାଇବା ପାଇଁ ସେଗୁଡିକର ଚିତ୍ର ଦିଆଯାଇଥିଲା | ଯାହାକୁ ନେଇ ଆପତ୍ତି ଉଠାଇଥିଲେ ଏସ୍‌ସିଇଆରଟି କର୍ତ୍ତୃପକ୍ଷ । ଏନେଇ ଏସ୍‌ସିଇଆରଟି ପକ୍ଷରୁ ଓସେପା କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି । ପାଠପଢା ସମୟରେ ପିଲାଙ୍କୁ ଏସବୁ ଚିତ୍ର ନ ଦେଖାଇବାକୁ ଚିଠିରେ କୁହାଯାଇଛି । ଏଥିସହ ପାଠ୍ୟ ପୁସ୍ତକରେ କୌଣସି କମ୍ପାନୀର ଉତ୍ପାଦ ଚିତ୍ର ରହିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ପ୍ରକାଶ ଯେ, ସେଗୁଡିକର ଚିତ୍ର ଏସ୍‌ସିଇଆରଟି କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ସେ ଆପତ୍ତି ଉଠାଇବା ସହ ଏସବୁ ଛବି ହଟାଇଦେବାକୁ କହିଛନ୍ତି ।

ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଅନ୍ୟପକ୍ଷରେ ଶିକ୍ଷକମାନେ କହିଛନ୍ତି, ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କ ଅନୁପାତରେ ପୁସ୍ତକ ମିଳୁ ନ ଥିବାବେଳେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି । ଖରାଛୁଟି ପାଠ ପାଇଁ ଯେତିକି ପୁସ୍ତକ ଦିଆଯାଇଛି, ଅଧା ପିଲାଙ୍କୁ ଅଣ୍ଟୁନି ।

ଏଣେ ଛୁଟିରେ କିଭଳି ପଢା ହେଉଛି, ତାହା ଅନୁଧ୍ୟାନ କରିବାକୁ ପ୍ରତି ଶନିବାର ପିଲାଙ୍କ ମେଧାଜ୍ଞାନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଅଛି । ପୁସ୍ତକ ଅଭାବକୁ ନେଇ ଶିକ୍ଷକ-ଅଭିଭାବକ ମୁହାଁମୁହିଁ ହେଉଛନ୍ତି । ଅଳ୍ପ ପୁସ୍ତକରେ ପାଠପଢା ନେଇ ସମସ୍ୟା ଥିବାବେଳେ ଏବେ ଛବିକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେସବୁ ବହି ଆଉ ଖୋଲାଯିବ ନାହିଁ ।

Related Posts