ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଛି। ଆଜି ଅପରାହ୍ନରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସୁନ୍ଦର କାରୁକାର୍ଯ୍ୟ ଏବଂ ପଥରରେ ଖୋଦେଇ କରି ଦେଶ ବିଦେଶରେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ପୁରୀ ଜିଲ୍ଲା ଶାସନ ପଡିଆ ଗ୍ରାମରେ ଜନ୍ମ ଲାଭ କରିଥିଲେ। ତାଙ୍କର ଏହି କୃତିତ୍ବ ପାଇଁ ୧୯୭୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେହିପରି ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ସେ ଟୁଇଟ କରି କହିଛନ୍ତି, ” ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।” ସେ ଦେଶ ବିଦେଶରେ ପଥରରେ ମହାପୁରୁଷ ଏବଂ ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ନିର୍ମାଣ କରି ସାରା ବିଶ୍ବରେ ପ୍ରଶଂସା ସାଉଁଟିଛନ୍ତି ରଘୁନାଥ । ତାଙ୍କର କିର୍ତ୍ତିରାଜି ଭିତରେ ଭୁବନେଶ୍ୱର ମାଷ୍ଟରକାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚତାର କୋଣାର୍କ ଘୋଡ଼ା, କଟକ ବାରବାଟୀ ଷ୍ଟାଡିଅମରେ ୧୨ଫୁଟର କୋଣାର୍କ ଘୋଡ଼ା, ଭୁବନେଶ୍ୱର ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର, ଟିଟଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର, ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିରର ନିର୍ମାଣ, ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି, ରାଜୀବ ଗାନ୍ଧୀଙ୍କ ସମାଧି ପୀଠ, ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର, ଧଉଳୀରେ  ୨ଟି ବୌଦ୍ଧ ମୂର୍ତ୍ତି, ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି, ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି, ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ ନିର୍ମାଣ କରି ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିଛନ୍ତି ରଘୁନାଥ ।

Related Posts