ଏଏସଆଇର ଚିଠିରେ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ କାମ ବନ୍ଦ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ରହିଛି ତଥାପି କାମ ବନ୍ଦ ହୋଇନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିରର ୧୦୦ ମିଟିର ଭିତରେ ନିର୍ମାଣ କାର୍ଯ୍ୟକୁ ନେଇ ଅନେକ ଜନତା, ରାଜନେତା ବିରୋଧ କରିବା ସତ୍ତ୍ୱେ ମଧ୍ୟ କାମ ଆଗେଇ ଚାଲିଛି । ଏହା ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ମହାନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଛନ୍ତି । ତେବେ ଏଏସଆଇର ଚିଠିରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ କାମ ବନ୍ଦ ଲାଗି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଉକ୍ତ ଚିଠିଟି ଗତ ଫେବ୍ରୁଆରି ୫ରୁ ଲେଖା ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟ ବନ୍ଦ ହୋଇନାହିଁ ବୋଲି କହିଛନ୍ତି । ସେପଟେ ସଂସଦରେ ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ଅପରାଜିତା କହିଥିଲେ, ଦେଶର ଚାରିଧାମରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। ଏହା ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର। ଦ୍ବାଦଶ ଶତାବ୍ଦୀରୁ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। ୧୯୫୮ରେ ସଂସଦରେ ଆମ୍ସାର୍ ଆଇନ ପାରିତ ହୋଇଥିଲା। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ କୌଣସି ଐତିହ୍ୟସ୍ଥଳରେ ୧୦୦ ମିଟର ନିଷିଦ୍ଧାଞ୍ଚଳ। ଏହା ମଧ୍ୟରେ କୌଣସି ପ୍ରକାର ନୂଆ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ।

ଏହାପରେ ୨୦୦ ମିଟରର ରେଗୁଲେଟେଡ ଏରିଆରେ ଯଦି ନିର୍ମାଣ କାର୍ଯ୍ୟ କରାଯିବ ତେବେ ନ୍ୟାସନାଲ ମନ୍ୟୁମେଣ୍ଟର ଅନୁମତି ନେବାକୁ ପଡିଥାଏ। କିନ୍ତୁ ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ସେପରି କିଛି ହୋଇନାହିଁ। ଆହୁରି ବିଡ଼ମ୍ବନା ହେଲା ସବୁ ନିୟମକୁ ଅଣଦେଖା କରି ତଥା ବେଆଇନଭାବେ ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳରେ ବ୍ୟାପକଭାବେ ଖନନ ଓ ଭଙ୍ଗାରୁଜା କାର୍ଯ୍ୟ ଜାରି ରଖିଛନ୍ତି। ଏଏସଆଇ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ଅନୁମତି ନିଆଯାଇନାହିଁ। ସାଂସଦ ଆହୁରି କହିଥିଲେ, ବିକାଶ ଓ ସୌନ୍ଦର‌୍ୟୀକରଣ କାର୍ଯ୍ୟକୁ ଆମେ ସମର୍ଥନ କରୁଛୁ। ହେଲେ ଆଇନର ଉଲ୍ଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ମନ୍ଦିରକୁ କ୍ଷତି ପହଞ୍ଚାଇବା କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ। ଯେତେବେଳେ ଏହି ନିର୍ମାଣ ଆରମ୍ଭ ହେଲା ସେତେବେଳେ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା। ହେଲେ ସେଥିରେ ଏଏସ୍ଆଇର କୌଣସି ସଦସ୍ୟଙ୍କୁ ରଖାଗଲା ନାହିଁ। ବିନା ଏଏସଆଇରେ କାର୍ଯ୍ୟ କିଭଳି ସଂପାଦିତ କରାଯାଉଛି ସେ ନେଇ ଅପରାଜିତା ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେହିପରି ପ୍ରକଳ୍ପର ପ୍ରଭାବ ଆକଳନ ଅଧ୍ୟୟନ କରାଯାଇନାହିଁ। ଏଥି ସହିତ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ ହୋଇନାହିଁ ବୋଲି ଅପରାଜିତା ଅଭିଯୋଗ କରିଥିଲେ।ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ପୁଣିଥରେ ସରଗରମ ହୋଇ ଉଠିଛି ।

Related Posts