ୟୁକ୍ରେନ ଫେରନ୍ତା ତେଲେଙ୍ଗାନା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀ । ସୁରକ୍ଷିତ ଭାବେ ଭାରତ ଫେରିଥିଲେ ମଧ୍ଯ ପାଠ୍ୟକ୍ରମ ଅଧାରୁ ଛାଡ଼ି ଥିବା ବେଳେ ଏବେ ଚିନ୍ତାଗ୍ରସ୍ତ ରେ ଅଛନ୍ତି ଛାତ୍ରଛାତ୍ରୀ । ସେପଟେ ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର।

ୟୁକ୍ରେନରୁ ରାଜ୍ୟକୁ ଫେରିଥିବା ୭୦୦ରୁ ଅଧିକ ଶିକ୍ଷାର୍ଥୀଙ୍କ ପାଠପଢ଼ା ଖର୍ଚ୍ଚ ଏଣିକି ତେଲେଙ୍ଗାନା ସରକାର ବହନ କରିବେ। ଏଥିସହ ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିଜେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଅଧାରୁ ପାଠପଢ଼ା ଛାଡ଼ି ଭାରତ ଚାଲି ଆସିଥିବା ପିଲାମାନଙ୍କ ଭବିଷ୍ୟତ ନେଇ ଆଶା ଆଶଙ୍କା ଦେଖାଯାଇଥିବା ବେଳେ କେସିଆରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଆଜି ତେଲେଙ୍ଗାନା ବିଧାନସଭାରେ ୟୁକ୍ରେନ ଫେରନ୍ତା ପିଲାଙ୍କ ଭବିଷ୍ୟତକୁ ନେଇ ବିତର୍କ ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି, ୟୁକ୍ରେନ ୨୫ ହଜାରରୁ ଅଧିକ ପିଲା ରହିଥିଲେ। ଏହା ହିଁ ବାସ୍ତବତା। ଏମାନଙ୍କ ମଧ୍ୟରେ ତଲେଙ୍ଗାନାର ୭୪୦ ଜଣ ପିଲା ରହିଛି। ଏମାନେ ସମସ୍ତେ ୟୁକ୍ରେନରେ ମେଡିସିନ ପାଠ ପଢ଼ୁଥିଲେ। କାରଣ ଏଠାରେ ପଢ଼ା ଖର୍ଚ୍ଚ ବହୁତ ଅଧିକ। ସେ ଯାହା ବି ହେଉ ଏବେ ଆମେ ଆମ ପିଲାମାନଙ୍କୁ ୟୁକ୍ରେନରୁ ଆଣି ପାରିଛୁ। ହେଲେ ସେମାନେ ଏବେ କେମିତି ନିଜର ପାଠପଢ଼ା ଆଗକୁ ନେବେ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ସେମାନେ ଅଧାରୁ ପାଠପଢ଼ା ଛାଡ଼ି ରାଜ୍ୟକୁ ଫେରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କୁ ଏଣିକି ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛୁ। ଆମେ ସେମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବୁ। ଦେଶର ଯେକୌଣସି ସ୍ଥାନରେ ସେମାନେ ପ‍ଢ଼ିଲେ ବି ତେଲେଙ୍ଗାନା ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏନେଇ ଆମେ କେନ୍ଦ୍ରକୁ ମଧ୍ୟ ଚିଠି ଲେଖିବୁ ବୋଲି ସେ କହିଛନ୍ତି।

Related Posts