ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ 6 ଦିନ ଚାଲିବ ଅଧିବେଶନ। ତେବେ ଅଧିବେସନ ଆରଂଭ ର ପ୍ରଥମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସିଥିବାର ଦେଖିବାକୁ ମିଳିଛି। ଏଣେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ଯୋଗ ଦେଇଛନ୍ତି। ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ଏଣେ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।
ବିଧାନସଭା ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖୁଛନ୍ତି। ତାହା ପରେ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ। ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହକାର୍ଯ୍ୟ ହେବ। ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ରୁ ୬ଟା ଏପରି ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଚାଲିବ। ଗୃହରେ କୋଭିଡ୍ କଟକଣା ଅନୁଯାୟୀ ବିଧାୟକମାନଙ୍କର ବସିବା ବନ୍ଦୋବସ୍ତ କରାଯାଇଛି। ଏହା ବାଦ୍ ଲୋକସେବା ଭବନ, ଓକାକ ଏବଂ ଜ଼ିଲ୍ଲା କାର୍ଯ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଧାୟକମାନେ ଯୋଡ଼ି ହୋଇପାରିବେ।
ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ୍ ୬ଟି କାର୍ଯ୍ୟଦିବସ ରହିଛି। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ।