ରୋମ : ରୋମ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ଯ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୦ ବର୍ଷ ଭିତରେ ରାଜ୍ୟରେ ହୋଇଥିବା ଅଦ୍ଭୁତପୂର୍ବ ବିକାଶ କଥା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ସାକ୍ଷାତ ସମୟରେ ରାଜ୍ୟର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୋମରେ ରହୁଥିବା ପ୍ରବାସୀ ଓଡିଆ ଭୁବନେଶ୍ୱର । ଏହି ପରିପ୍ରକ୍ଷୀରେ ଘୋଷଣା ହୋଇଛି ବ୍ରିଟେନ୍‌ରେ ତିଆରି ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ସେଠାକାର ପ୍ରବାସୀ ଓଡ଼ିଆମାନେ ଆଗକୁ ଆସିଛନ୍ତି । ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଛି ।

ତେବେ ମନ୍ଦିର ନିର୍ମାଣ ପାଇଁ ଯାହା ବି ସହାୟତା ଦରକାର ତାହା ଯୋଗାଇବାକୁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ରୋମା ହାସଲର୍‌ ପଞ୍ଚତାରକା ହୋଟେଲରେ ୟୁରୋପର ୧୨ଟି ଦେଶର ପ୍ରାୟ ୫୦ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ବ୍ରିଟେନ୍‌ର ପ୍ରବାସୀ ଓଡ଼ିଆଙ୍କ ସହ ବାର୍ତ୍ତାଳାପ ସମୟରେ ଏହି ପ୍ରସଙ୍ଗ ଉଠିଥିଲା । ତେବେ ପ୍ରସ୍ତାବିତ ମନ୍ଦିର ନିର୍ମାଣ ପାଇଁ ସରକାର ଅକୁଣ୍ଠ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସାକ୍ଷାତ ସମୟରେ ପ୍ରବାସୀ ଓଡିଆମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ମାଇଲଖୁଣ୍ଟ ଛିଡା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ଭାବନା ଯୋଗୁ ରାଜ୍ୟର ଏଭଳି ବିକାଶ ହୋଇଛି ବୋଲି ପ୍ରବାସୀ ଓଡିଆମାନେ ମତ ଦେଇଥିଲେ ।