ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ଦେଶର ଚତୁର୍ଥ ମଙ୍କିପକ୍ସ ମାମଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଚିନ୍ତା ବଢ଼ାଇଲା ମଙ୍କିପକ୍ସ ଭୂତାଣୁ। କେରଳରେ ୩ ଜଣ ଚିହ୍ନଟ ହେବା ପରେ ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚ ଚାଲିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି।ପିଟିଆଇ ରିପୋର୍ଟ ମୁତାବକ, ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୩୧ ବର୍ଷ। ସେ ନିକଟରେ ହିମାଚଳ ପ୍ରଦେଶର ଏକ ଷ୍ଟେଜ ଶୋ’ରେ ଯୋଗ ଦେଇଥିଲେ। ଜ୍ୱର ଓ ଚର୍ମ କ୍ଷତ ଯୋଗୁ ତାଙ୍କୁ ପ୍ରାୟ ତିନି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ମିଶାଇ ଭାରତରେ ମୋଟ ୪ ଜଣ ମଙ୍କିପକ୍ସ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି।

ଏହାପୂର୍ବରୁ କେରଳରୁ ୩ ଜଣ ମଙ୍କିପକ୍ସର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ୧୪ରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା। ଏନେଇ କୋରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଣା ଜର୍ଜ ଖୋଦ୍‌ ସୂଚନା ଦେଇଥିଲେ। ଆକ୍ରାନ୍ତ ବ୍ୟକ୍ତି ଜଣକ ଦୁବାଇରୁ ଫେରିଥିଲେ। ମଙ୍କିପକ୍ସର ଲକ୍ଷଣ ଦେଖାଦେବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାର ୪ ଦିନ ପରେ ଅର୍ଥାତ ଜୁଲାଇ ୧୮ରେ କେରଳରୁ ଦ୍ୱିତୀୟ ମାମଲା ସାମ୍ନାକୁ ଆସିଥିଲା। ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହାପରେ ଜୁଲାଇ ୨୨ରେ ତୃତୀୟ ମାମଲା ସ୍ପଷ୍ଟ ହୋଇଥିଲା। ଏହି ତିନି ଆକ୍ରାନ୍ତଙ୍କ ଦୁବାଇ କନେକ୍ସନ ଥିବା ଜଣାପଡିଥିଲା। ଏହି ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଉପରେ କେରଳ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି।

Related Posts