ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ):   ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ପକ୍ଷଙ୍କୁ ପୂଜା ପାଇଁ କୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଛି । ୭ ଦିନ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡର ଜଣେ ପୂଜକଙ୍କ ଦ୍ୱାରା ପୂଜା ପାଇଁ ନିର୍ଦ୍ଦେଶ ରହିଛି ।

ଏହି ମାମଲାର ଶୁଣାଣି ବେଳେ କୋର୍ଟ ଜିଲ୍ଲା ପ୍ରଶାସନକୁ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବା ସହ ଏଥିପାଇଁ ଜଣେ ପୂଜାରୀ ମନୋନୀତ କରିବାକୁ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ପକ୍ଷ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗଣମାଧ୍ୟମକୁ କହିଛନ୍ତି ଯେ ‘ହିନ୍ଦୁ ପକ୍ଷକୁ ବ୍ୟାସ କା ତେଖାନାରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଇଛି। ୭ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଏଥିପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଏବେ ସମସ୍ତଙ୍କର ପୂଜା କରିବାର ଅଧିକାର ରହିବ’।

ଅଡଭୋକେଟ୍‌ ବିଷ୍ଣୁ ଜେନା ଆହୁରି କହିଛନ୍ତି, ୧୯୮୩ ମସିହାରେ ଜଷ୍ଟିସ କୃଷ୍ଣ ମୋହନ ପାଣ୍ଡେ ଦେଇଥିବା ରାୟ ପରି ବାରାଣସୀ କୋର୍ଟର ରାୟକୁ ମୁଁ ଐତିହାସିକ ମନେ କରୁଛି । ଗୋରଖପୁର ବାସିନ୍ଦା ଜେଏମ ପାଣ୍ଡେ ହେଉଛନ୍ତି ପ୍ରଥମ ବିଚାରପତି, ଯାହାଙ୍କ ନିର୍ଦ୍ଦେଶରେ ପୂଜାପାଠ ପାଇଁ ରାମ ମନ୍ଦିର ତାଲା ଖୋଲାଯାଇଥିଲା ।

ସୂଚନାଯୋଗ୍ୟ, ଚାରି ଜଣ ମହିଳା ଆବେଦନକାରୀ ମସଜିଦର ସିଲ୍‌ ହୋଇଥିବା ଅଂଶର ଖନନ ଓ ସର୍ଭେ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର କିଛି ଦିନ ପରେ ବାରଣାସୀ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ର ରିପୋର୍ଟ ଅନୁଯାୟୀ, ବାରଣାସୀରେ ଜ୍ଞାନବାପି ମସଜିଦ ନିର୍ମାଣ ପୂର୍ବରୁ ଏଠାରେ ବୃହତ ହିନ୍ଦୁ ମନ୍ଦିର ଥିବା ଜଣାପଡ଼ିବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ କରାଯାଇଛି।