‘ଦିନ ଆସିବ କେନ୍ଦ୍ରୀୟ ଏଜେନ୍ସି ମାନେ ଘରେ ପଶି, ଆପଣଙ୍କ କାନ ଧରି ଟାଣି ନେଇଯିବେ’; ବିଜେପିକୁ ମମତାଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗୁରୁବାର କୋଲକାତାରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଆଜି ବିଜେପି କେନ୍ଦ୍ରରେ କ୍ଷମତାରେ ଅଛି ଏବଂ ଏହାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଶକ୍ତି ସମସ୍ତଙ୍କୁ ଦେଖାଉଛି। ଆସନ୍ତାକାଲି ଯେତେବେଳେ ବିଜେପି କ୍ଷମତାରେ ନଥିବ, ଏହି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଆପଣଙ୍କ(ବିଜେପି ନେତା) ବାସଭବନରେ ପ୍ରବେଶ କରିବେ ଏବଂ କାନ ଧରି ଆପଣଙ୍କୁ ଟାଣି ନେଇଯିବେ, ସେହି ଦିନ ଶୀଘ୍ର ଆସିବ ।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଦୁର୍ଗା ପୂଜା ସମୟରେ ମହିସାସୁର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମା ପ୍ରଦର୍ଶିତ ହୋଇଥିଲା। ସେମାନଙ୍କୁ କେଉଁ ଦଣ୍ଡ ଦିଆଯିବା ଉଚିତ୍? ଏପରି ଲଜ୍ଜାଜନକ କାର୍ଯ୍ୟର ଉତ୍ତର ଲୋକମାନେ ଦେବେ | ମୁଁ ବହୁତ ନିରାଶ ହୋଇଥିଲି କିନ୍ତୁ କିଛି କହି ନଥିଲି କାରଣ ପୂଜା ସମୟରେ ବିରୋଧ ସୃଷ୍ଟି ହୋଇଯାଇଥାନ୍ତା ବୋଲି ମମତା କହିଛନ୍ତି |

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ଇଡି ଏବଂ ସିବିଆଇ ଦ୍ୱାରା ଅନେକ ଟିଏମସି ନେତା ଗିରଫ ହେବା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ଏହି ଗିରଫଦାରୀ ପରେ ଅଗଷ୍ଟ ମାସରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଥିଲେ ଯେ, ସମଗ୍ର ଭାରତରେ ବିଜେପି ନିର୍ବାଚିତ ହୋଇଥିବା ଅନ୍ୟ ଦଳଗୁଡିକର ସରକାରଙ୍କୁ ହଟାଇବା ପାଇଁ କଳା ଟଙ୍କା ଏବଂ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରୁଛି ।

ବିଜେପିକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଯଦି ସେମାନଙ୍କର ସାହସ ଅଛି ତେବେ ମୋତେ ଗିରଫ କରନ୍ତୁ। ବିଜେପି ସମସ୍ତଙ୍କୁ ଚୋର ବୋଲି କହୁଛି। ସେମାନେ ପ୍ରଚାର କରୁଛନ୍ତି ଯେପରି ଆମେ ସମସ୍ତେ ଟିଏମସିରେ ଚୋର ଏବଂ କେବଳ ବିଜେପି ଏବଂ ଏହାର ନେତାମାନେ ପବିତ୍ର । ଯଦି ମୁଁ ରାଜନୀତିରେ ନ ଥା’ନ୍ତି, ମୁଁ ତାଙ୍କ ଜିଭ କାଟି ଦେଇଥା’ନ୍ତି ବୋଲି ମମତା କହିଛନ୍ତି|

Related Posts