୯୬ ବର୍ଷ ବୟସରେ ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜେମିନଙ୍କ ପରଲୋକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜେମିନଙ୍କର ପରଲୋକ ହୋଇଛି । ସେ ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଚୀନ ସରକାରୀ ଗଣମାଧ୍ୟମ ମୁତାବକ ଗ୍ଲୁକୋମିଆ ରୋଗରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ଏହି କାରଣରୁ ତାଙ୍କ ଶରୀରର ଅନେକ ଅଙ୍ଗ ନିଷ୍କ୍ରିୟ ହୋଇଯାଇଥିଲା ।

ସୂଚନା ଯୋଗ୍ୟ ଯେ, ଜିୟାଙ୍ଗ ଜେମିନ ୧୯୮୯ ମସିହାରେ ଚୀନର ତିୟାନମେନ ସ୍କୁୟାର ନରସଂହାର ପରେ ଚୀନର ନେତୃତ୍ୱ ନେଇଥିଲେ । ସେ ୧୦ ବର୍ଷରୁ ଅଧିକ ସମୟ ଧରି ଚୀନର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ।

ଜିୟାଙ୍ଗ ଜଣେ ସାଧାରଣ ଇଂଜିନିୟରରୁ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରର ନେତୃତ୍ୱ ନେବାରେ ସକ୍ଷମ ହୋଇଥିଲେ । ତାଙ୍କ ଶାସନ କାଳରେ ଚୀନ ବାଣିଜ୍ୟ, ସୈନ୍ୟ ଓ ରାଜନୈତିକ ଶକ୍ତି କ୍ଷେତ୍ରରେ ବେଶ୍ ଆଗକୁ ବଢିଥିଲା । ସେ ୧୯୮୯ ମସିହାରେ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ବେଳକୁ ଦେଶ ଆର୍ଥିକ ଆଧୁନିକୀକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ବେଳେ ୨୦୦୩ ରେ ସେ ସେବାନିବୃତ ହେବା ବେଳେକୁ ଚୀନ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ହୋଇପାରିଥିଲା । ଏହି ସମୟରେ ବ୍ରିଟେନ ଚୀନକୁ ହଂଗକଂଗ ଦେଇସାରିଥିଲା ଓ ବେଜିଂ ଅଲମ୍ପିକ୍ସକୁ ଚୀନ ସୁରକ୍ଷିତ କରିସାରିଥିଲା । ଏହି କ୍ରମରେ ଚୀନ ଜିୟାଙ୍ଗଙ୍କ ସମୟରେ ବିଶ୍ୱର ଏକ ମହାଶକ୍ତି ହେବା ଦିଗରେ ଅଗ୍ରସର ହୋଇଥିଲା ।

ସବୁଠାରୁ ବଡକଥା ଯେ, ଜାମ୍ମୁ-କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ସମସ୍ୟା ଉପରେ ସେ ମତ ରଖିଥିଲେ । ଜିୟାଙ୍ଗ ଜେମିନ ପାକିସ୍ତାନୀ ସଂସଦକୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ, ଯଦି କୌଣସି ସମସ୍ୟାର ସମାଧାନ ହୋଇପାରୁ ନାହିଁ ତେବେ ତାକୁ ଛାଡିଦେବା ଉଚିତ । ଅବଶ୍ୟ ଏହି ବୟାନକୁ ପାକିସ୍ତାନ ତରଫରୁ ବିରୋଧ କରାଯାଇଥିଲା ।

Related Posts