ନୂଆଦିଲ୍ଲୀ : ଇ-ସାଇକେଲ କ୍ରେତାଙ୍କ ପାଇଁ ବଡ ଘୋଷଣା | ଦିଲ୍ଲୀ ସରକାର ସବସିଡି ପ୍ରଦାନ ଲାଗି ବଡ ଘୋଷଣା କରିଛନ୍ତି | ଇଭି ସବସିଡି ନୀତିରେ ସରକାର ପର୍ସନାଲ ଓ କାର୍ଗୋ ଉଭୟରେ ଇଲେକ୍ଟ୍ରିକ ସାଇକେଲ ସାମିଲ କରିବା ଲାଗି ଘୋଷଣା କରିଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ କୈଲାସ ଗହଲୋତ ଏ ବାବଦେ ଘୋଷଣା କରି ପ୍ରଥମ ୧୦ ହଜାର କ୍ରେତାଙ୍କ ଲାଗି ୫ ହଜାର ୫୦୦ ଟଙ୍କାର ସବସିଡି ପ୍ରଦାନ କରାଯିବ ବୋଲି କହିଛନ୍ତି।
ସେହିପରି ପାସେଞ୍ଜର ଇ-ସାଇକେଲ କ୍ରୟ ଲାଗି ୨ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସବସିଡି ଦିଆଯିବ ଓ ତାହା ବି ପ୍ରଥମ ୧ ହଜାର ଗ୍ରାହକଙ୍କୁ ମିଳିବ ବୋଲି ଜଣାପଡିଛି। ସେହିପରି ବ୍ୟବସାୟୀକ ଉପଯୋଗ ଲାଗି କାର୍ଗୋ ଇ-ସାଇକଲ ଓ ଇ-କାର୍ଟ କ୍ରୟ ଉପରେ ବି ଦିଲ୍ଲୀ ସରକାର ସବସିଡି ପ୍ରଦାନ କରିବେ। କାର୍ଗୋ ଇ-ସାଇକେଲ ଲାଗି ପ୍ରଥମ ୫ ହଜାର କ୍ରେତାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସବସିଡି ମିଳିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।
ଏବେ ସରକାର କର୍ପୋରେଟ କ୍ରେତାଙ୍କୁ ମଧ୍ୟ ଏହି ସବସିଡି ଅନ୍ତର୍ଭୁକ୍ତ କରିବେ। ପ୍ରଥମେ କେବଳ ବ୍ୟକ୍ତିଗତ କ୍ରୟ ଲାଗି ସବସିଡି ପ୍ରଦାନ କରାଯାଉଥିଲା। ଏବେ କମ୍ପାନୀ ଅଥବା ଉଦ୍ୟୋଗ ଗୃହ ଯଦି ଏପରି ବାହନ କ୍ରୟ କରନ୍ତି ୩୦ ହଜାର ଟଙ୍କା ଲେଖାଏଁ ସବସିଡି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଦିଲ୍ଲୀ ଇଭି ନୀତି ଅନୁସାରେ କେବଳ ରାଜଧାନୀର ବାସିନ୍ଦା ଓ ରାଜଧାନୀ ଅନ୍ତର୍ଗତ ଅଞ୍ଚଳରେ ଥିବା କମ୍ପାନୀ ଏବଂ ବ୍ୟକ୍ତି ବିଶେଷ ଏହି ସବସିଡିର ଲାଭ ନେଇପାରିବେ।
ତେବେ ଇଲେକ୍ଟ୍ରିକ ସାଇକେଲ ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ ଲାଗି ସରକାର ଏହି ସବସିଡି ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ଜାତୀୟ ରାଜଧାନୀରେ ଇଭି ଶସ୍ତାରେ ମିଳିପାରିବ। ଦିଲ୍ଲୀ ସରକାରଙ୍କ ସବସିଡି ବ୍ୟବସ୍ଥାକୁ ହିରୋ ଲେକ୍ଟ୍ରୋ ସିଇଓ ଆଦିତ୍ୟ ମୁଞ୍ଜାଲ ସ୍ୱାଗତ କରିଛନ୍ତି। ସରକାରଙ୍କ ଏହି ଛୋଟିଆ ପଦକ୍ଷେପ ଆଗାମୀ ଦିନରେ ବୃହତ୍ତର ରୂପ ଧାରଣ କରିବା ସହ ଆର୍ଥିକ ଗତିବିଧି ମଧ୍ୟ ବଢିବ ବୋଲି କହିଛନ୍ତି।
ଇ-ସାଇକେଲ ଥରେ ଚାର୍ଜ ହେଲେ ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହାର ଘଣ୍ଟାପ୍ରତି ବେଗ ୨୫ କିଲୋମିଟର ରହୁଛି।
