ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅଙ୍କ ପୂର୍ବତନ ଚାଚାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି । ଏହି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତକାଲି ସନ୍ଧ୍ୟାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟା କେ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି ।ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ ଜଣକ ହେଉଛନ୍ତି ହାଇଦ୍ରାବାଦର ବୁଚିବାବୁ ଗୋରାଣ୍ଟଲା । ଅବକାରୀ ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସୁରାକ ପାଇବା ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଏବଂ କାର୍ଯ୍ୟକାରିତାରେ କବିତାଙ୍କ ଏହି ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ଭୂମିକା ରହିଛି । ଏହାସହିତ ଅବକାରୀ ପଲିସି ଅଧିନରେ ସେ ହାଇଦ୍ରାବାଦ ଭିତ୍ତିକ ହୋଲସେଲ ଓ ରିଟେଲ ଲାଇସେନ୍ସଧାରୀଙ୍କ ଠାରୁ ଅସଦ୍ ଉପାୟରେ ଲାଭ ଅର୍ଜନ କରିଥିବା ଜଣାପଡିଛି । ତେଣୁ ଏହି ମାମଲାରେ ତାଙ୍କୁ ପଚରାଉଚରା ପାଇଁ ସିବିଆଇ ଦିଲ୍ଲୀ ଡକାଇଥିଲା । ହେଲେ ଜେରା ବେଳେ ସେ ସିବିଆଇକୁ ସହଯୋଗ କରିନଥିଲେ ଏବଂ ତାଙ୍କ ଉତ୍ତରରେ ତାଳମେଳ ରହିନଥିଲା । ଯାହାଫଳରେ ତାଙ୍କୁ ଗିରଫ କରାଯାଇଥିବା ଜଣେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅଭିଯୋଗ ଆଣିଥିଲେ । ଏହି ମାମଲାର ସିବିଆଇ ସିବିଆଇ ତଦନ୍ତ ପାଇଁ ସେ ଆବେଦନ କରିଥିଲେ । ଏହାପରେ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ବଡ ବଡ ବ୍ୟବସାୟୀଙ୍କ ନାଁ ଉଠିଥିଲା । ଏମିତିକି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ଏବଂ ଆନ୍ଧ୍ରପ୍ରଦେଶ ସାଂସଦ ମଗୁନ୍ତ ଶ୍ରୀନିବାସଲୁ ରେଡ୍ଡୀଙ୍କ ନାଁ ଯୋଡି ହୋଇଥିଲା ।

ଅବକାରୀ ନୀତି ସହ ସାଉଥ୍‌ ଗ୍ରୁପର ଲିଙ୍କ ସାମ୍ନାକୁ ଆସିଥିଲା । ଏହି ଗ୍ରୁପର ପ୍ରମୁଖ ସଦସ୍ୟ ରହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ ଙ୍କ ଝିଅ କେ କବିତା । ଏହି ମାମଲାରେ ଗିରଫ ହୋଇଥିବା ଜଣେ ବ୍ୟବସାୟୀଙ୍କ ମାଧ୍ୟମରେ ସାଉଥ ଗ୍ରୁପ ଆପ୍ ସରକାରୀଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଥିବା ଇଡି କହିଥିଲା ।

Related Posts