ନକଲି ଶିକ୍ଷୟିତ୍ରୀଙ୍କ ଫିଟୁଛି ଗୁମର; ଏନଜିଓ ଦ୍ୱାରା ନିଯୁକ୍ତ ହୋଇ ଆଠ ବର୍ଷ ଧରି ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନକଲି ଶିକ୍ଷୟିତ୍ରୀଙ୍କ ଫିଟୁଛି ଗୁମର । ତେବେ ନକଲି ଶିକ୍ଷୟିତ୍ରୀ ଜଣଙ୍କ ଏନଜିଓ ଦ୍ୱାରା ନିଯୁକ୍ତ ହୋଇ ଆଠ ବର୍ଷ ଧରି ପାଠ ପଢ଼ାଉଥିବାର ଖବର ସାମ୍ନାକୁ ଆସିଛି । ଏସବୁ ମଧ୍ୟରେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ଏନଜିଓ ଦ୍ୱାରା ସେ ନିଯୁକ୍ତ ହୋଇଥିବାବେଳେ ଶିକ୍ଷା ବିଭାଗ ପାଖରେ ଏନେଇ କୌଣସି ଖବର ନାହିଁ । ସେପଟେ ବଲାଙ୍ଗୀର ସହର ଇଚ୍ଛାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଥିବା ଜାଣିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅନ୍ୟପଟେ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରଙ୍କୁ ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ ଗତ ସୋମବାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଦଣ୍ଡମୁକ୍ତ ଅଞ୍ଚଳ ଭାବେ ପରିଗଣିତ ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଜଣକ ମାଡ଼ ମାରିଥିବା ଜଣାପଡ଼ିବା ପରେ ହଇଚର ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ଶୁକ୍ରବାର ପୂର୍ବହ୍ନରେ କେତେଜଣ ଅଭିଭାବକ ସ୍କୁଲକୁ ଯାଇ କେଉଁ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ମାଡ଼ ମାରିଲେ ସେନେଇ ତନାଘନା କରିଥିଲେ । ଏହାକୁ ନେଇ ସେଠାରେ ତର୍କବିତର୍କ ଚାଲିଥିବାବେଳେ ମାଡ଼ ମାରିଥିବା ଶିକ୍ଷୟିତ୍ରୀଙ୍କ ପରିଚୟ ମିଳିଥିଲା । ତେବେ ସେହି ଶିକ୍ଷୟିତ୍ରୀ ଜଣକ ସରକାରୀ ନିଯୁକ୍ତିପ୍ରାପ୍ତ ନୁହେଁ ବରଂ ଏକ ଏନଜିଓ ଦ୍ୱାରା ନିଯୁକ୍ତ ବୋଲି ଜଣାପଡ଼ିଥିଲା । ଏହାକୁ ନେଇ ସେଠାରେ ଅଭିଭାବକମାନେ ହୋହଲ୍ଲା କରିଥିଲେ ।

ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି ଟିମ ସ୍କୁଲରେ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ଗତ ୨୦୧୪ ପେଲେସ ଲାଇନସ୍ଥିତ ଏକ ଏନଜିଓ ଜନସେବା ସଂସ୍ଥା ସମ୍ପୃକ୍ତ ଦୁଇ ଯୁବତୀଙ୍କୁ ଉକ୍ତ ସ୍କୁଲରେ ନିଯୁକ୍ତି ଦେବାକୁ ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୁଆଡ଼େ କହିଥିଲେ । ସେମାନେ ସ୍କୁଲ ପଢ଼ାରେ ପଛେଇ ଯାଉଥିବା ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ପଢ଼ାଇବେ ବୋଲି କହିଥିଲେ । ସେହିଦିନଠାରୁ ସେମାନେ ସେ ସ୍କୁଲରେ ପାଠ ପଢ଼ାଇ ଆସୁଥିବା ଜଣାପଡ଼ିଛି । ଏହି ସ୍କୁଲରେ ଏବେ ୭୪ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ୪ ଜଣ ଶିକ୍ଷୟିତ୍ରୀ ମଧ୍ୟ ରହିଛନ୍ତି । ଏଠାରେ ଛାତ୍ର ଶିକ୍ଷକ ଅନୁପାତରୁ ଅଧିକ ଶିକ୍ଷୟିତ୍ରୀ ଥିବା ସତ୍ତ୍ୱେ ପୁଣି ଦୁଇଜଣ ଏନଜିଓ ପ୍ରକଳ୍ପ ଶିକ୍ଷୟିତ୍ରୀ କାମ କରୁଛନ୍ତି । ଏଠାରେ ସରକାରୀ ଶିକ୍ଷୟିତ୍ରୀମାନେ ନିଜେ ପାଠ ନପଢ଼ାଇ ନକଲି ଶିକ୍ଷୟିତ୍ରୀଙ୍କ ଜରିଆରେ ପଢ଼ାଉଥିବା କଥା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ପଚରାଯିବାରେ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ଏବଂ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ଡିଇଓଙ୍କୁ ସେ ଲିଖିତ ଜଣାଇବେ ବୋଲି କହିଥିଲେ ।

Related Posts