ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ମମିତାଙ୍କୁ ନ୍ୟାୟ କେବେ ମିଳିବ ସେନେଇ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି । ସେପଟେ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍ର ତଦନ୍ତକୁ ନେଇ ହାଇକୋର୍ଟରେ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର। ଏବଂ ଠିକ ଭାବରେ ତଦନ୍ତ ନହେଲେ ସେ ନିଜେ କଳାକୋର୍ଟ ପିନ୍ଧି ଏନେଇ ଲଢ଼ିବେ ବୋଲି କହିଥିଲେ । ଏବଂ ସେ ନିଜ କଥା ରଖି ଏହି ମାମଲାକୁ ଲଢ଼ୁଛନ୍ତି । ହେଲେ ସବୁଠାରୁ ରୋଚକ କଥାଟି ହେଉଛି ପୁଲିସ କରିଥିବା ତଦନ୍ତକୁ ପ୍ରମାଣିତ କରିବା ପାଇଁ ଅଦାଲତରେ ଯୁକ୍ତି ବାଢ଼ିବେ ତାଙ୍କ ବଡ଼ପୁଅ ଅମରେନ୍ଦ୍ର ମିଶ୍ର । ତେବେ ଅମରେନ୍ଦ୍ର ମିଶ୍ର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର (ପିପି) ଭାବେ ମମିତା ମେହେର ମାମଲା ଲଢୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ କଂଗ୍ରେସ ଦଳରେ ହଟଚମଟ ସୃଷ୍ଟି ହୋଇଛି। ଦଳର ଏକାଧିକ ବିଧାୟକ ଏହାକୁ ନେଇ ଗଣମାଧ୍ୟମରେ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ କଣ୍ଟାବାଞ୍ଚି ବିଧାୟକ ସନ୍ତୋଷ ସିଂହ ସାଲୁଜା ବଡ଼ ବୟାନ ଦେଇଛନ୍ତି । ତେବେ ଏହି ଘଟଣାରେ ନିରସିଂହ ମିଶ୍ରଙ୍କୁ ତାଚ୍ଛଲ୍ୟ କରିବା ସହିତ ବାପା ମମିତାଙ୍କ ପାଇଁ ଲଢ଼ୁଥିବା ବେଳେ ତାଙ୍କ ପୁଅ ସରକାରଙ୍କ ପାଇଁ ଲଢ଼ୁଛନ୍ତି ବୋଲି କହିଛନ୍ତି। ଏହା ସହ ମମିତା ମେହେର ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ବାବୁ କଳାକୋର୍ଟ ପିନ୍ଧିବେ ବୋଲି ରାଜ୍ୟବାସୀଙ୍କୁ କହିଥିଲେ। ହେଲେ ଗତକାଲି କଣ୍ଟାବାଞ୍ଝି କୋର୍ଟରେ ତାଙ୍କ ବଡ଼ ପୁଅ ସ୍ପେଶାଲ ପିପି ହୋଇ ଯାଇଥିବା ଦେଖିବାକୁ ମିଳିଲା। ତେଣୁ ଆଗକୁ କ’ଣ ହେବ ତାହା ସମୟ କହିବ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।