ମମିତା ମେହେର ମାମଲାରେ ବାପ-ପୁଅଙ୍କ ଲକ୍ଷ୍ୟ ଏକ; ସ୍ପେସାଲ ପିପିଙ୍କ ଲକ୍ଷ୍ୟ ଅପରାଧୀକୁ ଦଣ୍ଡିତ କରିବା ଆଉ ମୋର ମଧ୍ୟ: ନରସିଂହ ମିଶ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟାମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସେପଟେ ପୁଲିସର ତଦନ୍ତକୁ ନେଇ ହାଇକୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର । ଏପରିକି ଆଇନଜୀବୀ ଭାବରେ ନରସିଂହ ମିଶ୍ର ଏହି ମାମଲାକୁ ଲଢ଼ୁଛନ୍ତି । ସେପଟେ ପୁଲିସ କରିଥିବା ତଦନ୍ତକୁ ପ୍ରମାଣିତ କରିବା ପାଇଁ ଅଦାଲତରେ ଯୁକ୍ତି ବାଢ଼ିବେ ତାଙ୍କ ବଡ଼ପୁଅ ଅମରେନ୍ଦ୍ର ମିଶ୍ର । ଅମରେନ୍ଦ୍ର ମିଶ୍ର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର (ପିପି) ଭାବେ ମମିତା ମେହେର ମାମଲା ଲଢୁଛନ୍ତି । ଶ୍ରୀ ମିଶ୍ର ଓ ତାଙ୍କ ପୁଅ ପରସ୍ପର ବିରୋଧରେ ମାମଲା ଲଢ଼ିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହ, ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ଦଳରେ ହଟଚମଟ ସୃଷ୍ଟି ହୋଇଛି। ଦଳର ଏକାଧିକ ବିଧାୟକ ଏହାକୁ ନେଇ ଗଣମାଧ୍ୟମରେ ନରସିଂହ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ନିଯୁକ୍ତି ହେଲା ସେସଂପର୍କରେ ଆଲୋଚନାର ଆବଶ୍ୟକତା ରହିଥିବା ସେମାନେ ଖୋଲାଖୋଲି ଗଣମାଧ୍ୟମରେ କହିଛନ୍ତି। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ନିରସିଂହ ମିଶ୍ରଙ୍କୁ ତାଚ୍ଛଲ୍ୟ କରିବା ସହିତ ବାପା ମମିତାଙ୍କ ପାଇଁ ଲଢ଼ୁଥିବା ବେଳେ ତାଙ୍କ ପୁଅ ସରକାରଙ୍କ ପାଇଁ ଲଢ଼ୁଛନ୍ତି ବୋଲି କହିଛନ୍ତି।

ମମିତା ମେହେର ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ବାବୁ କଳାକୋର୍ଟ ପିନ୍ଧିବେ ବୋଲି ରାଜ୍ୟବାସୀଙ୍କୁ କହିଥିଲେ। ହେଲେ ଗତକାଲି କଣ୍ଟାବାଞ୍ଝି କୋର୍ଟରେ ତାଙ୍କ ବଡ଼ ପୁଅ ସ୍ପେଶାଲ ପିପି ହୋଇ ଯାଇଥିବା ଦେଖିବାକୁ ମିଳିଲା। ଅନ୍ୟପଟେ ଶ୍ରୀ ମିଶ୍ର କହିଛନ୍ତି, ‘ ତାଙ୍କ ବଡ଼ପୁଅଙ୍କୁ ସରକାର ସ୍ପେସାଲ ପିପି ଭାବରେ ନିଯୁକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପିପିର କାର‌୍ୟ୍ୟ ଦୋଷୀକୁ ଦଣ୍ଡଦେବା। ପିପି ସରକାରଙ୍କ ଚାକର ନୁହେଁ ଏବଂ ପିପିର ସ୍ୱାଧୀନତା ଅଛି। ମାମଲାରେ ଦୋଷୀକୁ ଦଣ୍ଡିତ କରିବାପାଇଁ ଯେତେ ତଥ୍ୟ ରହିଛି, ସେଥିରେ କେଉଁଟା ଭୁଲ ଓ କେଉଁଟା ଠିକ୍ ପିପି ପାଠପଢ଼ି କହିବ ତାହା ଯଥେଷ୍ଟ କି ନୁହଁ। ମୁଁ ଯଦି ରାଜନୀତିରେ ମତପୋଷଣ କଲି ମୋ ପୁଅ ବି ରାଜନୀତି କରିବ ମାନେନାହିଁ।’ ‘ ଏହି ଘଟଣାରେ ବାପ-ପୁଅଙ୍କ ଲକ୍ଷ୍ୟ ଏକ। ସ୍ପେସାଲ ପିପିଙ୍କ ଲକ୍ଷ୍ୟ ଅପରାଧୀକୁ ଦଣ୍ଡିତ କରିବା। ମୋର ମଧ୍ୟ ଲକ୍ଷ୍ୟ ଦୋଷୀକୁ ଦଣ୍ଡିତ କରାଯାଉ,’ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts