ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କ ସିଙ୍ଗାପୁରରେ କିଡନୀ ପ୍ରତ୍ୟାରୋପଣ ଅପରେସନ୍ ସଫଳ ହୋଇଛି। ତାଙ୍କୁ ଅପରେସନ୍ ପରେ ଆଇସିୟୁରେ ରଖାଯାଇଛି। ଏ ସମ୍ପର୍କରେ ଲାଲୁଙ୍କ ସାନ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଲାଲୁଙ୍କ ଝିଅ ରୋହିଣି ଆଚାର୍ଯ୍ୟ କିଡନୀ ଦାନ କରିଛନ୍ତି। ବର୍ତ୍ତମାନ ରୋହିଣୀ ଓ ଲାଲୁ ଦୁହେଁ ସୁସ୍ଥ ଅଛନ୍ତି ବୋଲି ତେଜସ୍ଵୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଲାଲୁ କିଡନୀ ଜନିତ ସମସ୍ୟା ସହିତ ଅନେକ ରୋଗରେ ପୀଡିତ। ଅକ୍ଟୋବରରେ ସିଙ୍ଗାପୁର ଯାଇଥିବା ଲାଲୁଙ୍କୁ ଡାକ୍ତରମାନେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାର ପରାମର୍ଶ ଦେଇଥିଲେ, ଯାହାପରେ ଝିଅ ରୋହିଣୀ ନିଜର ବାପାଙ୍କୁ କିଡନୀ ଦାନ କରିବା କଥା କହିଥିଲେ। ରୋହିଣୀ ଟ୍ବିଟରରେ କହିଥିଲେ, ଗତ କିଛି ବର୍ଷ ହେବ ତାଙ୍କ ବାପା କିଡନୀ ସମେତ ଅନେକ ରୋଗରେ ପୀଡିତ। ବାପାଙ୍କୁ କିଡନୀ ଡୋନେଟ୍ କରିବାକୁ ସେ ଚାହାନ୍ତି।

ପୂର୍ବରୁ ରୋହିଣୀ ଟ୍ବିଟ୍ କରିଥିଲେ, ମୋ ମତରେ ଏହା କେବଳ ଏକ ଛୋଟିଆ ମାଂସର ଟୁକୁଡା, ଯାହାକି ମୁଁ ମୋ ବାପାଙ୍କୁ ଦେବାକୁ ଚାହେଁ। ମୋ ବାପାଙ୍କ ପାଇଁ ମୁଁ କିଛି ବି କରିପାରେ। ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ, ସବୁକିଛି ଠିକ୍ ହୋଇଯାଉ ଓ ବାପା ଆସି ଯାଆନ୍ତୁ ଓ ପୁଣିଥରେ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତୁ। ପୁଣି ଥରେ ଶୁଭକାମନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ।

କିଡନୀ ଟ୍ରାନ୍ସପ୍ଲାଟ କରିବା ପରେ ଏବେ ଲାଲୁ ସିଙ୍ଗାପୁରରେ ଅଛନ୍ତି। ଏହି ସମୟରେ ତାଙ୍କ ସହ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ, ପୁଅ ତେଜସ୍ବୀ ଯାଦବ ଓ ବଡ ଝିଅ ମିସା ଭାରତୀ ସିଙ୍ଗାପୁରରେ ଅଛନ୍ତି। କେବଳ ସେତିକି ନୁହେଁ ଲାଲୁଙ୍କ ନିକଟତମ ସହଯୋଗୀ ଭୋଳା ଯାଦବ ଓ ତେଜସ୍ବୀଙ୍କ ରାଜନୈତିକ ପରାମର୍ଶଦାତା ସଞ୍ଜୟ ଯାଦବ ମଧ୍ୟ ସିଙ୍ଗାପୁରରେ ଅଛନ୍ତି।