୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ଲକ୍ଷ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ଲକ୍ଷ୍ୟ । ଏଥିଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । କୋଇଲା ଜଳାଇବା ତୁଳନାରେ ଏହାକୁ ସ୍ୱଚ୍ଚ ଇନ୍ଧନ ବିକଳ୍ପ ଭାବରେ ବିବେଚନା କରାଯାଉଛି । ଏଥିରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ । ଏହା ଅପେକ୍ଷାକୃତ ବେଶି ପରିବେଶ ଅନୁକୂଳ ବୋଲି କହିଛନ୍ତି ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭି.କେ ତିୱାରୀ । ଶକ୍ତି, ଇସ୍ପାତ, ଖଣି ମନ୍ତ୍ରଣାର୍ଳ ଏବଂ କୋଇଲା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି । ସେପଟେ ଆଲୋଚନାରେ ଅଂଶଗ୍ରହଣ କରି ତିୱାରୀ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ଉତ୍ତୋଳନ ହୋଇପାରୁଛି । ଖଣି ଖନନ କାର୍ଯ୍ୟରେ କମ୍ପାନୀମାନେ ନୂତନ ଜ୍ଞାନକୌଶଳ ଆପଣାଇବା ଉଚିତ । ଏଥିସହ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ଭାରତ ନିକଟରେ ୩,୮୯୬ ନିୟୁତ ଟନ ବକ୍ସାଇଟ ଉତ୍ସ ରହିଛି । ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହା ମାତ୍ର ୧୭ ପ୍ରତିଶତ । ଅର୍ଥାତ ୬୮୬ ନିୟୁତ ଟନ ବକ୍ସାଇଟ ମହଜୁଦ ଅଛି । ବର୍ତ୍ତମାନ ଭାରତର ହାଇଡ୍ରୋଜେନ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନଥିବାବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନକୁ ବୃଦ୍ଧି ପାଇବ । ବିଶୋଧନାଗାର ଏବଂ ସାର କାରଖାନାଗୁଡ଼ିକ ହାଇଡ୍ରୋଜେନର ସବୁଠୁ ବଡ଼ ଉପଭୋକ୍ତା ପାଲଟିଛନ୍ତି । ଏବେ ଏହା ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି । କୋଇଲା ବାଷ୍ପୀକରଣ ପ୍ରକ୍ରିୟା ଦ୍ୱାରା ଏହାକୁ ଆହୁରି ସୁବିଧାରେ ଉତ୍ପାଦନ କରାଯାଇପାରିବ ବୋଲି ତିୱାରି ସୂଚନା ଦେଇଛନ୍ତି । ପ୍ରାରମ୍ଭରେ ଖଣି ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଜୈନ ଭର୍ଚ୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମକ ଉଦଘାଟନ କରିଥିଲେ । ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଶ୍ୱ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts