ମୁମ୍ବାଇ: ଲଗାତାର ଭାବେ ବଢ଼ୁଥିବା ତେଲ ଦରରେ ଲାଗିଲା ବ୍ରେକ୍ । ତା ସାଙ୍ଗକୁ ହ୍ରାସ ପାଇଲା ଖାଇବା ତେଲର ମୂଲ୍ୟ। ଆଦାନୀ ୱିଲମାର କମ୍ପାନୀ ଖାଇବା ତେଲ ମୂଲ୍ୟରେ ୧୦ ଟଙ୍କା ହ୍ରାସ କରିଛି। ମଦର ଡାଏରୀ କମ୍ପାନୀ ଖାଇବା ତେଲ ‘ଧାରା’ ମୂଲ୍ୟରେ ୧୫ ଟଙ୍କା ହ୍ରାସ କରିବା ପରେ ଲାଭଖୋର ଆଦାନୀ ମାତ୍ର ୧୦ ଟଙ୍କା ହ୍ରାସ କରିଛି। କେନ୍ଦ୍ର ସରକାର ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ପରେ କମ୍ପାନୀ ମୂଲ୍ୟ କମାଇଛି।

ଆଦାନୀ ପୂର୍ବରୁ ଦିଲ୍ଲୀ-ଗୁରୁବାର ଏନ୍‌ସିଆର୍‌ରେ କ୍ଷୀର ବ୍ୟବସାୟ କରୁଥିବା ମଦର ଡାଏରୀ କମ୍ପାନୀ ‘ଧାରା’ ବ୍ରାଣ୍ଡରେ ବିକ୍ରି କରୁଥିବା ଖାଇବା ତେଲର ମୂଲ୍ୟରେ ଲିଟର ପ୍ରତି ୧୫ ଟଙ୍କା ହ୍ରାସ କରିଥିଲା। ବିଶ୍ୱ ବଜାରରେ ମୂଲ୍ୟ ହ୍ରାସ ହେବା ପରେ ମଦର ଡାଏରୀ ମୂଲ୍ୟ ହ୍ରାସ କରିଥିଲା। ସୋରିଷ ତେଲର ମୂଲ୍ୟ ୧୫ କମାଇ ୨୦୮ରୁ ୧୯୩ ଟଙ୍କା ହୋଇଥିବା ବେଳେ ଧାରା ରିଫାଇଣ୍ଡ ତେଲର ମୂଲ୍ୟରେ ୧୫ ଟଙ୍କା ହ୍ରାସ ପାଇ ୨୩୫ରୁ ୨୨୦ ହୋଇଥିଲା। ସେହିପରି ଧାରା ରିଫାଇଣ୍ଡ ସୋୟାବିନ ତେଲ ୨୦୯ରୁ ୧୯୪ ହୋଇଥିଲା। ପ୍ରତି ଖାଇବା ତେଲରେ ଧାରା ୧୫ ଟଙ୍କା ହ୍ରାସ କରିଛି ବୋଲି କମ୍ପାନୀ ଘୋଷଣା କରିଥିଲା। ଆସନ୍ତା ସପ୍ତାହରେ ‘ଧାରା’ ତେଲ ପ୍ୟାକେଟ୍ ନୂଆ ମୂଲ୍ୟରେ ଉପଲବ୍ଧ ହେବ।

ଏହାପରେ ଆଦାନୀ ଫର୍ଚୁନ ରିଫାଇଣ୍ଡ ସନଫ୍ଲାୱାର ତେଲ ମୂଲ୍ୟରେ ଲିଟର ପ୍ରତି ୧୦ ହ୍ରାସ କରିଛି। ଫର୍ଚ୍ଚୁନ ରିଫାଇଣ୍ଡ ତେଲ ମୂଲ୍ୟରେ ୨୨୦ରୁ ୨୧୦କୁ ହୋଇଥିବା ବେଳେ ଫର୍ଚୁନ ଶୋୟାବିନ ଓ ଫର୍ଚୁନ କଚ୍ଚି ଘନି(ସୋରିଷ ତେଲ) ଲିଟର ପ୍ରତି ୧୦ ଟଙ୍କା ହ୍ରାସ ପାଇ ୨୦୫ ଟଙ୍କାରୁ ୧୯୫ ହୋଇଛି। ଖୁବ୍‌ଶୀଘ୍ର ଏହି ନୂଆ ମୂଲ୍ୟ ଥିବା ପ୍ୟାକେଟ୍ ବଜାରକୁ ଆସିବ ବୋଲି କମ୍ପାନୀ ଘୋଷଣା କରିଛି।

ସୂଚନା ଥାଉକି, ଭାରତ ଇଣ୍ଡୋନେସିଆ, ମାଲେସିଆରୁ ଭାରତକୁ ସର୍ବାଧିକ ପାମ ତେଲ ଆମଦାନୀ କରିଥାଏ ସେହିଭଳି ଆର୍ଜେଣ୍ଟିନା, ବ୍ରାଜିଲ୍ ଠାରୁ ସୋଆ ତେଲ ଓ ଋଷ-ୟୁକ୍ରେନ୍ ଠାରୁ ସୂର୍ଯ୍ୟୁମୁଖୀ ତେଲ ଆମଦାନୀ କରିଥାଏ। ।