ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ପ୍ରଶାସକଙ୍କ ହାତକୁ ଟେକି ଦେବାକୁ ସରକାରଙ୍କ ନିଷ୍ପତ୍ତି : ଶିକ୍ଷକ ସଙ୍ଗଠନ ଜୋରଦାର ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ପ୍ରାଧ୍ୟାପକଙ୍କ ବଦଳରେ ପ୍ରଶାସକଙ୍କ ହାତକୁ ଟେକି ଦେବା ନିଷ୍ପତ୍ତିକୁ ଶିକ୍ଷକ ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଗତ ୯ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ଏଣିକି ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ଅଧିକାରୀ ପଦଗୁଡ଼ିକ ପ୍ରଧ୍ୟାପକଙ୍କ ବଦଳରେ ଓଏଏସ୍‌ (ଓଡ଼ିଶା ‌ପ୍ରଶାସନିକ ସେବା) କ୍ୟାଡର୍‌କୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଆରଟି ନିର୍ଦ୍ଦେଶକ, ରୁସା ନିର୍ଦ୍ଦେଶକ, ଯୁକ୍ତ୨ ପରିଷଦ ସଚିବ ପରୀକ୍ଷା ନିୟନ୍ତ୍ରକ, ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ବିଶ୍ବବିଦ୍ୟାଳୟ କୁଳସଚିବ ଭଳି ପଦଗୁଡ଼ିକରେ ବରିଷ୍ଠ ପ୍ରାଧ୍ୟାପକଙ୍କ ବଦଳରେ ଓଏଏସ୍‌ମା‌ନଙ୍କୁ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଶିକ୍ଷାବିତ୍ ଓ ଅଧ୍ୟାପକ ମାନେ ଏହାର କଡା ବିରୋଧ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଏହି ପଦ ଗୁଡ଼ିକରେ ପ୍ରାଧ୍ୟାପକମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଓଡ଼ିଶାରେ ଓଏସ୍‌ଏମାନଙ୍କୁ କାହିଁକି ନିଯୁକ୍ତି ଦିଆଯିବ ବୋଲି ଅଧ୍ୟାପକ ମାନେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷକ ସଙ୍ଗଠନମାନଙ୍କ ଦାବି ହେଉଛି ଯେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ପ୍ରଶାସକଙ୍କ ହାତରେ ଟେକି ନଦିଅନ୍ତୁ। ରାଜ୍ୟ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଶିକ୍ଷକ ସଂଗଠନ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ଓଡ଼ିଶା ସରକାରୀ କଲେଜ ଶିକ୍ଷକ ସଂଘ ସଭାପତି ମାନସ ବେହେରା, ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି ଏକ ପ୍ରେସ୍‌ ବାର୍ତ୍ତା ଜରିଆରେ କହିଛନ୍ତି ଯେ , ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷା ବ୍ୟବସ୍ଥାକୁ ଅମଲା ମୁକ୍ତ କରିବାକୁ ବିଭିନ୍ନ ଆୟୋଗମାନେ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଶିକ୍ଷା ପ୍ରଶାସନ ସାଧାରଣ ପ୍ରଶାସନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ବିନା କୌଣସି କାରଣରେ ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ। ତେଣୁ ଏହି ନିଷ୍ପତ୍ତିର ପୁନଃବିଚର କରିବା ପାଇଁ ଶିକ୍ଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଉଚ୍ଚଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଶିକ୍ଷକ ସଂଘ ଏହି ଦାବିପତ୍ର ଦେଇଛି। ସେହିପରି ୬୬୨ବର୍ଗ କଲେଜ ସଂଘ ସଭାପତି ଗୋଲକ ନାୟକ ଏକ ପ୍ରେସ୍‌ ବାର୍ତ୍ତା ଜରିଆରେ କହିଛନ୍ତି ଯେ ସରକାର ଏଭଳି ନିଷ୍ପତ୍ତି ନେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସ୍ଥାଣୁ କରି ଦେଲେଣି। ସେ ଅଭିଯୋଗ କରିଛନ୍ତି ଯେ ଯେଉଁ ପଦ ଗୁଡ଼ିକରେ ଓଇଏସ୍‌ମାନେ ନିଯୁକ୍ତି ପାଇବା କଥା ସେଠାରେ ଓଏଏସ୍‌ ମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏପଟେ ସରକାର ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପ୍ରଫେସର ଓ ରିଡର୍‌ ପଦ ପୂରଣ କରୁନାହାନ୍ତି। ଫଳରେ ଗବେଷଣାମୂଳକ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ। ଏଥିପାଇଁ ଉଚ୍ଚଶିକ୍ଷିତ ପିଲାମାନେ ଅଧ୍ୟାପନା ପ୍ରତି ଆଗ୍ରହ ଦେଖାଉନଥିବା ସେ କହିଛନ୍ତି । ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ଓଇଏସ୍‌ମାନଙ୍କୁ ବରିଷ୍ଠତା ଆଧାରରେ ବିଭିନ୍ନ ପଦରେ ନିଯୁକ୍ତି ଦେବାକୁ ସଂଘର ସାଧାରଣ ସମ୍ପାଦକ ସତାପଉଦ୍ଦିନ୍‌ ମହମ୍ମଦ. ଗଗନ ବେଉରା, ଉପସଭାପତି ତପନ ଜେନା, ଜ୍ୟୋତ୍ସ୍ନାରାଣୀ ବସ୍ତିଆ, ଅଶୋକ ପୁରୋହିତ, ରଞ୍ଜନ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ସେହିପରି ୪୮୮ ବର୍ଗର ଅଟଳ ବଳ, ପବିତ୍ର ମାହାଲା, ପ୍ରଶାନ୍ତ ପାତ୍ର, ପ୍ରଦୀପ କୁମାର ମିଶ୍ର, ପ୍ରଶାନ୍ତ ପ୍ରଧାନ, ପ୍ରଭାତ ଶତପଥୀ ପ୍ରମୁଖ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ଏବଂ ଓଇଏସ୍‌ମାନଙ୍କୁ ନିଯୁକ୍ତି ଦେବା ଲାଗି ଦାବି କରିଛନ୍ତି।‌

Related Posts