ରାଜ୍ୟପାଳ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛନ୍ତି, ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ; ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଡିଏମକେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟର କ୍ଷମତାସୀନ ଡିଏମକେ ଓ ଏହାର ସହଯୋଗୀ ଦଳ। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ରହି ଆରଏନ ରବି ରାଜ୍ୟରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବାକୁ ଉସକାଉଥିବା ଡିଏମକେ ଓ ଏହାର ସହଯୋଗୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ସାଂପ୍ରଦାୟିକ ଘୃଣା ସୃଷ୍ଟି କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କୁ ରାଜ୍ୟପାଳ ଭଳି ପଦରେ ରହିବାର କୌଣସି ଅଧିକାର ନାହିଁ। ତେଣୁ ରାଷ୍ଟ୍ରପତି ମୁର୍ମୁ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଡିଏମକେ ପକ୍ଷରୁ ଦାଖଲ କରାଯାଇଥିବା ସ୍ମାରକପତ୍ରରେ କୁହାଯାଇଛି।

ରାଷ୍ଟ୍ରପତିଙ୍କୁ ଡିଏମକେ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ରାଜ୍ୟପାଳ ରବିଙ୍କୁ ରାଜ୍ୟରେ ଶାନ୍ତି ପାଇଁ ବିପଦ ବୋଲି କହିଛି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଥିବା ବେଳେ ରାଜ୍ୟପାଳ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ରାଜ୍ୟପାଳ ରବି ତାମିଲନାଡ଼ୁରେ ସାଂପ୍ରଦାୟିକ ଘୃଣାର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସମ୍ବିଧାନ ଓ ଆଇନର ସୁରକ୍ଷା ପାଇଁ ସେ ନେଇଥିବା ଶପଥପାଠକୁ ଉଲ୍ଲଙ୍ଘନ କରିଛନ୍ତି। ସେ ଜାଣିଶୁଣି ବିଧାନସଭାରେ ପାରିତ ବିଲ୍‌କୁ ଦୀର୍ଘଦିନ ଧରି ପକାଇ ରଖୁଛନ୍ତି ବୋଲି ଡିଏମକେ ସ୍ମାରକପତ୍ରରେ ଉଲ୍ଲେଖ କରିଛି।

ଏଥିରେ ଆହୁରି କୁହାଯାଇଛି ଯେ ସରକାରଙ୍କ ପ୍ରତି ଥିବା ତାଙ୍କ ଘୃଣା ମନୋଭାବ ଯୋଗୁ ସେ ଅନେକ ପ୍ରକାରର ବିବାଦୀୟ ଓ ଅପ୍ରୀତିକର ବୟାନ ଦେଉଛନ୍ତି। ତାଙ୍କ ବୟାନରୁ ଏସବୁ କଥା ସ୍ପଷ୍ଟ ଜଣାପଡ଼ୁଛି। ଆରଏନ ରବିଙ୍କ ଭଳି ଜଣେ ବ୍ୟକ୍ତି ସାମ୍ବିଧାନିକ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେଣୁ ତାଙ୍କୁ ତୁରନ୍ତ ପଦରୁ ହଟାଇବାକୁ ଡିଏମକେ କହିଛି।

ଗତ ମାସରେ ଡିଏମକେ ଅନ୍ୟ ଦଳର ସାଂସଦମାନଙ୍କୁ ମଧ୍ୟ ଆରଏନ ରବିଙ୍କୁ ହଟାଇବା ପ୍ରସ୍ତାବକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲା। ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ପ୍ରାୟ ୨୦ଟି ବିଲ୍‌ ଏବେ ବି ରାଜ୍ୟପାଳଙ୍କ ମୋହର ଅପେକ୍ଷାରେ ପଡ଼ି ରହିଛି।

ବିଧାନସଭାରେ ଦୁଇ ଥର ନିଟ୍‌ ଛାଡ଼ ପାଇଁ ପାରିତ ବିଲ୍‌ ପାରିତ ହୋଇଛି। ଏହା ସତ୍ତ୍ୱେ ରାଜ୍ୟପାଳ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଉ ନଥିବାରୁ ଏପ୍ରିଲ ମାସରେ ଶାସକ ଡିଏମକେ ଏହା ବିରୋଧରେ ବିକ୍ଷୋଭ କରିଥିଲା।

Related Posts