
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୁବକଙ୍କୁ ଅପହରଣ ଓ ପରେ ହତ୍ୟା । ବିଚ୍ ସଡ଼କରେ ଜଣେ ଯୁବକଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ। ସ୍ପଷ୍ଟ ଦିବା ଆଲୋକରେ ବୁର୍ଲା ପୋଲିସକୁ ଅପରାଧୀଙ୍କ ଓପନ ଚ୍ୟାଲେଞ୍ଜ । ଯୁବକଙ୍କୁ ଅପହରଣ ପରେ ଅନ୍ୟ ସ୍ଥାନରେ ନିର୍ଦ୍ଧୁମ ମାଡ଼ ମାରି ଲହୁଲୁହାଣ କରିଥିବା ଜଣାପଡିଛି । ପ୍ରାୟ ସକାଳ ୮ଟା ବେଳକୁ ବୁର୍ଲା ଥାନା ସମ୍ମୁଖ ପେଟ୍ରୋଲ ପମ୍ପରେ ଯୁବକଙ୍କ ଉଲଗ୍ନ ମୃତଦେହ ଫିଙ୍ଗି କେହି କିଛି ଜାଣିବା ପୂର୍ବରୁ ଦ୍ରୁତଗତିରେ ଗାଡି ଧରି ଫେରାର ହୋଇଥିଲେ ଦୁର୍ବତ୍ତ ।
ତେବେ ଖବର ପାଇବା ପରେ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କୁ ଉଦ୍ଧାର କରି ପୋଲିସ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ରାମ ମେହେର। ତାଙ୍କ ଘର ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟ ବସନ୍ତବିହାର ଅଞ୍ଚଳରେ। ତେବେ ତାଙ୍କ ଉଭୟ ଗୋଡରେ ଗଭୀର ଆଘାତ ଲାଗିଛି । ଡାହାଣ ଗୋଡର ସମସ୍ତ ନଖଗୁଡିକ ବାହାର କରିଦିଆଯାଇଛି । ବୁର୍ଲା ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।ତେବେ ପୂର୍ବ ଶତ୍ରୁତାକୁ ନେଇ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି ।