
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ଧରି ରାଜ୍ୟରେ ବାଲି ମାଫିଆଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେତେବେଳେ ବାଲିମାଫିଆଙ୍କ ସହ ତହସିଲଦାରଙ୍କ ଲିଙ୍କ ରହୁଥିବାବେଳେ ଆଉ କେତେବେଳେ ବାଲି ମାଫିଆ ତହସିଲଦାରଙ୍କୁ ନାଲି ଆଖି ଦେଖାଉଛନ୍ତି । ଏହା ମଧ୍ୟରେ ବାଲି ମାଫିଆଙ୍କର ଆଉ ଏକ ଦବଙ୍ଗଗିରି ସାମ୍ନାକୁ ଆସିଛି । ତେବେ ଗଞ୍ଜାମ ତହସିଲ ଅଧିନ ମାଳିଜଗନ୍ନାଥପୁର ଗାଁ ନିକଟରେ ବାଲି ଚୋରା ଚାଲାଣ ଅଭିଯୋଗ ପାଇ ଚଢାଉ ବେଳେ ଗଞ୍ଜାମ ଅତିରିକ୍ତ ତହସିଲଦାର ଏବଂ ତିନି ଆରଆଇଙ୍କୁ ବାଲି ମାଫିଆ ଆକ୍ରମଣ କରିଛନ୍ତି । ସେପଟେ ମାଳିଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀ ନିକଟରେ ରାତିରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାର ତହସିଲ ପକ୍ଷରୁ ଖବର ପାଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ତିନି ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଉକ୍ତ ସ୍ଥାନରେ ଚଢ଼ାଉ କରୁଥିଲେ ।
ଠିକ୍ ଏହି ସମୟରେ ଚାରି ଜଣ ବାଲି ମାଫିଆ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ପିସ୍ତଲ ଦେଖାଇ ଭୟଭୀତ କରିବା ସହ ମୁଦି, ସୁନା ଚେନ୍, ମୋବାଇଲ ଫୋନ, ପର୍ସ ଛଡେ଼ଇ ନେଇଥିବା ଅଭିଯୋଗ ହୋଇଛି । ଜୀଵନ ବଞ୍ଚେଇବାକୁ ଯାଇ ଭୟରେ ସେଠାରୁ ଅଧିକାରୀମାନେ ପଳେଇଆସିଥିଲେ ଜ୍ଝ ଘଟଣା ସମ୍ପର୍କରେ ତୁରନ୍ତ ତହସିଲଦାର ଓ ପୋଲିସକୁ ଅବଗତ କରାଇଥିଲେ ଜ୍ଝ ଆକ୍ରମଣର ଶିକାର ହୋଇଛନ୍ତି ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଏବଂ ସୁଶାନ୍ତ କୁମାର ବେହେରା । ଖବର ପାଇଁ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।