ନ୍ୟାୟପାଳିକା ସବୁବେଳେ ରାଜନୈତିକ ଚାପ ଏବଂ ପ୍ରଭାବରୁ ମୁକ୍ତ ରହିବା ଦରକାର : ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୁରୁବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ମାମଲାର ଶୁଣାଣି ସମୟରେ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତରେ ନ୍ୟାୟପାଳିକା କେବେବି ୨ଟି ସିଷ୍ଟମରେ ଚାଲି ପାରିବ ନାହିଁ। ନ୍ୟାୟପାଳିକା ସବୁବେଳେ ରାଜନୀତିକ ଚାପ ଏବଂ ପ୍ରଭାବରୁ ମୁକ୍ତ ହୋଇ କାମ କରିବା ଦରକାର ।

ଏହା ସାଙ୍ଗକୁ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପୁଲିସକୁ କଡା ଭର୍ତ୍ସନା କରିଛନ୍ତି। ପୁଲିସ୍ କଂଗ୍ରେସ ନେତା ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ବିଏସପି ପାର୍ଟିର ଜଣେ ବିଧାୟକଙ୍କ ସ୍ୱାମୀ ଗୋବିନ୍ଦ ସିଂହଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାରୁ ମଧ୍ୟପ୍ରଦେଶ ପୁଲିସ୍‌କୁ କୋର୍ଟ କଡା ସମାଲୋଚନା କରିଛନ୍ତି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ହ୍ରିକିକେଶ ରୟଙ୍କ ଦୁଇ ଜଣିଆ ବେଞ୍ଚ କହିଛନ୍ତି ଯେ ନ୍ୟାୟପାଳିକା ନିଶ୍ଚିତ ଭାବରେ ରାଜନୈତିକ ଚାପ ଏବଂ ପ୍ରଭାବରୁ ମୁକ୍ତ ରହିବା ଆବଶ୍ୟକ । ପୁଲିସ୍‌ ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ଘଟଣାର ତଦନ୍ତ ଠିକ୍‌ ଭାବେ ଶେଷ କରିନାହିଁ। ଏହି କାରଣରୁ ସୁପ୍ରମକୋର୍ଟ ଶ୍ରୀ ସିଂହଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ପୁଲିସ୍‌ ଟ୍ରାଏଲ କୋର୍ଟର ବିଚାରପତିଙ୍କ ଉପରେ ଚାପ ପକାଉଥିବାର ପ୍ରମାଣ ମିଳିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ସବୁ ପ୍ରକାରର ପ୍ରୟାସ କରୁଛି। ଏହା ସତ୍ତ୍ୱେ ଡିଜିପି ନିଜ ପୁଲିସ୍‌ ବଳର ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଦେବେନ୍ଦ୍ରଙ୍କ ପୁଅ ଆବେଦନ କରିଥିଲେ ଯେ ଟ୍ରାଏଲ କୋର୍ଟ ବିଚାରପତିଙ୍କ ଉପରେ ଗୋବିନ୍ଦ ସିଂହଙ୍କୁ ସୁରକ୍ଷା ଦେବା ପାଇଁ ବିଏସ୍‌ପି ବିଧାୟକ ଚାପ ପକାଉଛନ୍ତି। ପୁଲିସ୍‌ ମଧ୍ୟ ଏଥିରେ ସହଯୋଗ କରୁଛି। ଏହା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ , ନ୍ୟାୟପାଳିକାର ସ୍ୱାଧୀନତା ଏହାର ପ୍ରତ୍ୟେକ ବିଚାରପତିଙ୍କ ସ୍ୱାଧୀନତା। ତେଣୁ ସେମାନେ ମଧ୍ୟ ନିଷ୍ପତ୍ତି ନେବାରେ ସର୍ବୋଚ୍ଚ ସ୍ୱାଧୀନତାର ଅଧିକାର ରଖିଛନ୍ତି।

ବିଚାରପତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନେବା ଏବଂ ସେମାନଙ୍କ ଅଧୀନରେ କୋର୍ଟର ପ୍ରକ୍ରିୟାରେ ହସ୍ତକ୍ଷେପ କରି ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କମ୍ପାର୍ଟମେଣ୍ଟାଇଜେସନ୍ ଭଙ୍ଗ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related Posts