ଲିକ୍ ହେଲା ଜ୍ଞାନବାପୀ ମସଜିଦର ସର୍ବେକ୍ଷେଣର ଭିଡିଓ

ବାରାଣସୀ: ଲିକ୍ ହେଲା ଜ୍ଞାନବାପୀ ମସଜିଦର ସର୍ବେକ୍ଷେଣର ଭିଡିଓ | କୋର୍ଟରୁ ପକ୍ଷକାରଙ୍କୁ ମିଳିବା ମାତ୍ରେ ଭିଡିଓ ଟି ଲିକ୍ ହୋଇ ଯାଇଛି | ଫଳରେ ଅନେକ ଚ୍ୟାନେଲ୍‌ରେ ଭିଡିଓଟି ପ୍ରସାରଣ ହେଉଥିବା ଦେଖିବାକୁ ମିଳିଛି | ତେବେ ଭାଇରଲ ଭିଡିଓ କୁ ନେଇ ହିନ୍ଦୁ ପକ୍ଷ ନିଜକୁ ଏଥିରୁ ଦୂରେଇ ରଖିଛନ୍ତି।

ଅଦାଲତରୁ ମିଳିଥିବା ଚାରି ଲଫାପାକୁ ମିଡିଆ ସାମ୍ନାରେ ଦେଖାଇ ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ, ଅଦ୍ୟାବଧି ଆମେ ସିଲ୍ ଖୋଲି ନାହୁଁ। ଅନ୍ୟପଟେ ମୁସଲିମ ପକ୍ଷ ଅଭିଯୋଗ କରିଛନ୍ତି ଯେ, ଅଦାଲତ ଯେଉଁ ଲୋକଙ୍କୁ ଭିଡିଓ ଦେଇଛନ୍ତି ସେମାନେ ହିଁ ଏହାର ଲିକ୍ କରିଛନ୍ତି। ଉଭୟ ପକ୍ଷ ଭିଡିଓ କେମିତି ଲିକ୍ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି।

ମୁସଲିମ ପକ୍ଷଙ୍କ ଓକିଲ ଅଭୟନାଥ ଯାଦବ କହିଛନ୍ତି, ଯେମିତି ଆଶଙ୍କା ପ୍ରକାଶ କରିଥିଲୁ ସେମିତି ହୋଇଛି। ଅଦାଲତ ଭିଡିଓ ଦେବା ସମୟରେ ଅଣ୍ଡରଟେକିଂ ନେଇଥିଲେ ଯେ, କେହି ଏହାକୁ ସାର୍ବଜନୀନ କରିବ ନାହିଁ। ହେଲେ ଯେଉଁମାନଙ୍କୁ ସର୍ବେକ୍ଷେଣର ଭିଡିଓ ମିଳିଛି ସେହିମାନେ ହିଁ ଲିକ୍ କରିଛନ୍ତି। ଏବେ ଜନମାନସକୁ ଭ୍ରମିତ କରିବା ପାଇଁ ଏହି ଭିଡିଓ ଭାଇରାଲ୍ କରାଯାଇଛି।

ହିନ୍ଦୁ ପକ୍ଷଙ୍କ ଓକିଲ ହରି ଶଙ୍କର ଜୈନ କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ ସର୍ବେକ୍ଷେଣ ରିପୋର୍ଟ ଖୋଲିନାହୁଁ। ଏବେ ମଧ୍ୟ ଏହା ଜଉମୁଦ ଲଫାପାରେ ରହିଛି। ଭିଡିଓ କେଉଁଠୁ ଲିକ୍ ହୋଇଛି ତାର ତଦନ୍ତ କରାଯିବା ଦରକାର। ସବୁଠୁ ବଡ ପ୍ରଶ୍ନ ଭିଡିଓ କେମିତି ଲିକ୍ ହୋଇଛି। ଆମେ ମଙ୍ଗଳବାର ସମସ୍ତ ଲଫାପା କୋର୍ଟକୁ ଦେଇ ଦେବୁ ବୋଲି ହିନ୍ଦୁ ପକ୍ଷର ଓକିଲ କହିଛନ୍ତି।

ସୋମବାର ଶୁଣାଣି ପରେ ଅଦାଲତ ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୪ ତାରିଖ ଧାର୍ଯ୍ୟ କରିଛନ୍ତି। ଜୁନ ୧ରୁ ଅଦାଲତରେ ଗ୍ରୀଷ୍ମବକାଶ ହେଉଛି। ଶୁଣାଣି ସମୟରେ ହିନ୍ଦୁ ପକ୍ଷ ଏବଂ ମୁସଲିମ ପକ୍ଷଙ୍କ ମଧ୍ୟରେ କୋର୍ଟରେ ଖୁବ୍ ବିତର୍କ ହୋଇଥିଲା।

Related Posts