ପୁରୀ : ଆଜି ମହାପ୍ରଭୁଂକ ପବିତ୍ର ସ୍ନାନ ପୂର୍ଣ୍ଣମୀ । ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ପରେ ଦୁର୍ଲଭ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ସ୍ନାନବେଦୀର ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ମହାପ୍ରଭୁଙ୍କ ଜନ୍ମଦିନ ଅବସରରେ ଏହି ଦିବ୍ୟ ଦର୍ଶନ ପାଇ ଭକ୍ତଗଣ କୃତାର୍ଥ ହୋଇଛନ୍ତି।

ଆଜି ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି ବିଜେ। ସକାଳ ସାଢ଼େ ୭.୪୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜ କରିଥିଲେ। ୭.୫୫ରେ ମଦନମୋହନ ବିଜେ କରିଥିଲେ। ୧୧.୨୦ରେ ଜଳବିଜେ ଓ ୧୨.୪୫ରେ ଜଳ ଲାଗି ଶେଷ ହୋଇଥିଲା। ଅପରାହ୍ନ ୨.୪୦ରେ ଛେରାପହଁରା ହୋଇଥିଲା। ୩ଟାରେ ହାତୀବେଶ ଆରମ୍ଭ ହୋଇଥିଲା। ୩ଟା ୫୦ରେ ହାତୀବେଶ ଶେଷ ହୋଇଥିଲା। ଏହା ପରେ ଠାକୁରମାନେ ଦିବ୍ୟ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଘଣ୍ଟାଏ ୨୦ ମିନିଟ୍ ନୀତି ବିଳମ୍ବରେ ସମାପନ ହୋଇଥିଲା।

ସନ୍ଧ୍ୟା ୬ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ ସାହାଣ ମେଳା ଦର୍ଶନ। ଭକ୍ତମାନେ ବ୍ୟାରିକେଡ୍‌ରେ ଯାଇ ସ୍ନାନମଣ୍ଡପ ପାଖରେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ କରିପାରିବେ। ରାତି ୧୦ଟାରୁ ରାତି ଗୋଟାଏ ଭିତରେ ବାହୁଡ଼ା ପହଣ୍ଡି ପାଇଁ ସମୟ ନିର୍ଘଣ୍ଟ ହୋଇଛି।