ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଙ୍ଗଠନ। ତେବେ ରାଜଧାନୀ ଉପକଣ୍ଠରେ ନବ ନିର୍ମାଣ କୃଷକ ସଙ୍ଗଠନରର ଆନ୍ଦୋଳନ ଚାଲିଛି। ତେବେ ବାଲିଅନ୍ତା ରାସ୍ତାରେ ବସିଥିବା ଚାଷୀ ନେତାଙ୍କ ସହିତ ଶହ ଶହ ଚାଷୀଙ୍କୁ ଗତକାଲି ରାତି ଅଧରେ ଉଠାଇନେଇଛି କମିଶନରେଟ ପୁଲିସ । ୨୪ ଦଫା ଦାବି ନେଇ ଏହି ଚାଷୀମାନେ ଯାଜପୁରରୁ ଶାନ୍ତି ପଦଯାତ୍ରାରେ ଭୁବନେଶ୍ୱର ବାହାରିଥିଲେ । ଗତକାଲି ସକାଳୁ ହଂଶପାଳ ନିକଟ ବାଲିଅନ୍ତା ରାସ୍ତାରେ ସେମାନଙ୍କୁ ଅଟକାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ସଙ୍ଗଠନର କର୍ମୀମାନଙ୍କୁ ବାଲିଅନ୍ତା ହାଟରେ ଅଟକିବାକୁ କହିଥିଲା ପୋଲିସ । ହେଲେ ରାତିବେଳା ଚାଷୀ ନେତା ହୋ ହାଲ୍ଲା କରିଥିଲେ । ଶେଷରେ ଡିସିପି ପ୍ରତିକ ସିଂଙ୍କ ନିର୍ଦ୍ଦେଶ କ୍ରମେ ୨୦୦ରୁ ଅଧିକ ଚାଷୀଙ୍କୁ ଜୋର ଜବରଦସ୍ତି ପୋଲିସ ଉଠାଇ ନେଇଥିଲା। ତେବେ ନବନିର୍ମାଣ କୃଷକ ସଙ୍ଗଠନର ଏଭଳି ଆନ୍ଦୋଳନକୁ ରାଜ୍ୟ ସରକାର ନାପସନ୍ଦ କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ପ୍ରସଙ୍ଗ କରି ସଙ୍ଗଠନରର କର୍ମକର୍ତ୍ତାମାନେ ଆଇନକୁ ହାତକୁ ନେଉଛନ୍ତି । ଯେଉଁଥିପାଇଁ ଟ୍ରାଫିକ ସମସ୍ୟାଠୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଉପୁଜୁଛି ବୋଲି ସରକାର କହିଛନ୍ତି ।