ଜୟପୁର : ବହୁ ପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ । ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଉଦ୍ଘାଟନ କରିବେ।
ସେପଟେ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ବରାଜ୍ୟ ଶିଶା ସୂଚନା ଦେଇଛନ୍ତି।
ଆଜି ଜୟପୁର ବିମାନବନ୍ଦରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସାଂସଦ ଏବଂ ବିଧାୟକମାନେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଜିଲ୍ଲାପାଳ, ଏସ୍ପି, ଉପଜିଲ୍ଲାପାଳ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ। ସେଭଳି ବିମାନବନ୍ଦରରେ ରଙ୍ଗିନ୍ ଝୋଟି କରାଯିବା ସହିତ ଆସନ୍ତାକାଲି ଭୁବନେଶ୍ବରରୁ ବିମାନରେ ଆସିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଜୟପୁର ପୌରପାଳିକା ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ବହୁ ଦିନର ପ୍ରୟାସ ପରେ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହେଉଛି। ଅଳ୍ପ ଦିନ ମଧ୍ୟରେ ବିଶାଖାପାଟଣାକୁ ମଧ୍ୟ ବିମାନ ଚଳାଚଳ କରିବ। ଏଥିସହ ଜୟପୁର ବିମାନବନ୍ଦରରୁ ୭୨ ସିଟ୍ ବିଶିଷ୍ଟ ବିମାନ ଚଳାଚଳ ପାଇଁ ବିଧାନସଭାରେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ବେସାମରିକ ମନ୍ତ୍ରୀ ଓ ସଚିବ ଆଦିଙ୍କୁ ଚିଠି କରିଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ସେ ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ବିମାନରେ ଆସିବାକୁ ଥିବା ଯାତ୍ରୀମାନଙ୍କୁ ପାଛୋଟି ଆଣିବେ ବୋଲି ମଧ୍ୟ କହିଛନ୍ତି।
