ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ବନବିଭାଗ କର୍ମଚାରୀମାନେ ହାତୀର ମୃତଦେହକୁ ପୋଡ଼ି ଦେବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ତୁରାମ ପୂର୍ତ୍ତିଙ୍କ ହତ୍ୟା ଅଭିଯୋଗରେ ୩ ବନ କର୍ମଚାରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଯଶୀପୁର ପୋଲିସ୍। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଉଛନ୍ତି ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିବଶଙ୍କର ସାମଲ, ଗୁରୁଣ୍ଡିଆ ବିଟ୍ର ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ୍ ।ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ ଯେ, ଗତ ୨୦୨୨ ଡିସେମ୍ବର ୭ରେ ଶିକାର ହୋଇଥିବା ହାତୀର ପ୍ରମାଣ ନଷ୍ଟ କରିବାକୁ ଏହି ବନ କର୍ମଚାରୀମାନେ ମୃତଦେହ ପୋଡିଥିଲେ। ଏହି ଘଟଣାର ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ ତୁରାମ୍ ପୂର୍ତ୍ତି ୧୧ ତାରିଖ ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ୧୫ ତାରିଖ ଦିନ ତାଙ୍କର କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ୨୨ ତାରିଖ ଦିନ ତୁରାମଙ୍କ ସ୍ତ୍ରୀ ତୁରାମଙ୍କୁ ବିଷଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରି ଯଶୀପୁର ଥାନାରେ ଏହି ବନକର୍ମଚାରୀଙ୍କ ନାମରେ ଲିଖିତ ଏତଲା ଦେଇଥିଲେ।
