ନବ ଦାସଙ୍କୁ ହତ୍ୟା ଘଟଣା; କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା ଘଟଣା ।କ୍ରାଇମବ୍ରାଞ୍ଚର ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ତଦନ୍ତରେ ସ୍ବଚ୍ଛତା ଲାଗି ହାଇକୋର୍ଟଙ୍କୁ ରାଜ୍ୟସରକାର ଅନୁରୋଧ କରିବା ସହ ଏହି ଚିଠି ଲେଖିଥିଲେ । ଅନ୍ୟପଟେ ଆଜି ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନଙ୍କ ବଦଳି କରାଯାଇଛି । ତାଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।

ସୂଚନା ଥାଉ କି ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ବେଳେ ଗୋଟିଏ ଗୁଳି ତାଙ୍କ ବାମ ପଟ ଛାତିରେ ବାଜିଥିଲା । ଏହି ଅଘଟଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିରୋଧୀ ଅଭିଯୋଗ ଆଣିଥିବା ବେଳେ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି । ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ପ୍ରକୃତ ଅପରାଧୀକୁ ଧରିବା ଲାଗି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ ।

Related Posts