ଓଡିଶା ହାଇକୋର୍ଟରେ ବୃଦ୍ଧି ପାଇଲା ବିଚାରପତି ସଂଖ୍ୟା

କଟକ: ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଉ ଜଣେ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି । ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର ଆଇନ୍ କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ପୂର୍ବରୁ ସଞ୍ଜୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ। ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲା ମୁକ୍ତାଦେଇପୁର ଗ୍ରାମରେ। ଇଂ ବିଭୁତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କର ସେ ପୁଅ। ତାଳଚେର ଥାର୍ମଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୁଳ କଲେଜରୁ ବି କମ ପାସ କରିଥିଲେ। ପରେ ୧୯୯୦ରେ ଏମ ଏସ କଲେଜରୁ ଏଲ ଏଲ ବି ପାସ କରିଥିଲେ।

୧୯୯୦ ମସିହାରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଛନ୍ତି। ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟ ପାଇଁ ଅନୁମୋଦିତ ବିଚାରପତି ସଂଖ୍ୟା ହେଉଛି ୨୭। କିନ୍ତୁ ଏବେ ୨୧ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ସଞ୍ଜୟ କୁମାର ମିଶ୍ର କାର୍ଯ୍ୟରେ ଯୋଗ ଦେବା ପରେ ଏହି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।

Related Posts