କୋଇଡା ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା, ଧୋଇଗଲା ପ୍ରଶ୍ନକାଳ

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ସପ୍ତମ ଦିନରେ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି ।କୋଇଡା ବିଡିଓଙ୍କ ବଦଳି ଦାବିରେ ହୋହଲ୍ଲା କରିଛନ୍ତି ବିରୋଧି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଧୋଇଯାଇଛି ସମ୍ପୂର୍ଣ୍ଣ ପ୍ରଶ୍ନକାଳ । ସୁନ୍ଦରଗଡ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଧାନସଭାରେ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି ଉପସ୍ଥାପନ କରିଥିଲେ । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ସମର୍ଥନ କରିଥିଲେ । ବିରୋଧି ଦଳ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ଖୁବ୍ ହୋହଲ୍ଲା କରିଥିଲେ । ଯେଉଁ କାରଣରୁ ଚାଲି ପାରିଲାନି ପ୍ରଶ୍ନକାଳ । ଶେଷରେ ପୂର୍ବାହ୍ନ ସାଢେ ୧୧ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଅଭିଯୋଗ ଅନୁସାରେ, ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର କୋଇଡା ବ୍ଲକ ବିଡିଓ ପଲ୍ଲବୀ ରାଣୀ ରାଜ ମନମୁଖୀ କାର୍ଯ୍ୟ କରୁଛନ୍ତି । ବିଡିଓ ବ୍ଲକର ବିକାଶ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ସେ ନିଜ ପଦର ଅପବ୍ୟବହାର କରୁଛନ୍ତି । ଦୀର୍ଘ ତିନି ବର୍ଷ ହେଲା ଏମଏଲଏ ଫଣ୍ଡ ଓ ପଞ୍ଚାୟତ ସମିତି ଫଣ୍ଡ ଖର୍ଚ୍ଚ ନହୋଇ ପଡିରହୁଛି । ଯେଉଁ କାରଣରୁ ସ୍ଥାନୀୟ ଅଞ୍ଚଳର ବିକାଶ କାର୍ଯ୍ୟ ଠପ୍ ରହିଛି । ଏଭଳି ଅଭିଯୋଗ କରି କିଛି ଦିନ ତଳେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ହଜାର ହଜାର ସିଆଇଟିୟୁ କର୍ମୀ ବିଡିଓଙ୍କ ବଦଳି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆଜି ବିଧାନସଭାରେ ମଧ୍ୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବିଡିଓଙ୍କ ବଦଳି ପ୍ରସଙ୍ଗ ଉଠାଇଥିଲେ । ସେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଦାବି କରିଥିବାବେଳେ ଏହାକୁ ସମର୍ଥନ କରି କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲି ପାରିଲା ନାହିଁ । ବାଚସ୍ପତି ଆରୁଖ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ହେଁ କେହି ଶୁଣିନଥିଲେ । ତେଣୁ ବାଧ୍ୟହୋଇ ସେ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ।

Related Posts