ରାଜ୍ୟରେ ବଢିବ ଶୀତର ପ୍ରକୋପ; ୩ ରୁ ୫ ଡିଗ୍ରୀ ଯାଏଁ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ତେବେ ଆଗାମୀ ୨୪ ଘଣ୍ଟା ପରେ ଆହୁରି ବଢିବ ଶୀତ। ଶୀତର ପ୍ରକୋପ ବଢିବା ସାଙ୍ଗକୁ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ଖସିବ। ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସେପଟେ ଗତ ରାତିରେ ଟ୍ଵିନ ସିଟି ଭୁବନେଶ୍ଵରରେ ୧୬.୮ ଡିଗ୍ରୀ ଏବଂ କଟକରେ ୧୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ପାରଦ ଆହୁରି ତଳକୁ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସୂଚନାଯୋଗ୍ୟ ଯେ, ୬ ତାରିଖରୁ ରାଜ୍ୟରେ ସାମୟିକ ଭାବେ ଶୀତ ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଏବେ ରାଜ୍ୟକୁ ଉତ୍ତରା ପବନ ଆସିପାରୁନି । ୫ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ତାପମାତ୍ରାରେ ପରିବର୍ତ୍ତନ ହେବନି । ୬ରୁ ରାଜ୍ୟକୁ ଉତ୍ତରା ପବନ ଆସିବ ଓ ଶୀତ ବଢ଼ିବ। ୬ ଓ ୭ ତାରିଖ ଦୁଇ ଦିନ ଆଭ୍ୟନ୍ତର ଜିଲ୍ଲାରେ ରାତି ତାପମାତ୍ରା ୪ ଡିଗ୍ରୀ କମିବ । ଭୁବନେଶ୍ୱର ସମେତ କେନ୍ଦ୍ରୀୟ ଉପକୂଳରେ ପ୍ରାୟ ୧.୫ଡିଗ୍ରୀ କମିପାରେ । ୪ ତାରିଖ ସୁଦ୍ଧା ଦକ୍ଷିଣ ଆଭ୍ୟନ୍ତରରେ ତାପମାତ୍ରା ୩ଡିଗ୍ରୀ ବଢ଼ିବ । ଉତ୍ତର ଆଭ୍ୟନ୍ତରରେ ୧ଡିଗ୍ରୀ ବଢିପାରେ । ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏବେ ସୋରିଷ, କୋବିଜାତୀୟ ଫସଲରେ ପାଉଁଶିଆ ରୋଗ ହେବାର ଆଶଙ୍କା ଅଛି । ଆଳୁରେ ପତ୍ରପୋଡ଼ା ରୋଗ ହୋଇପାରେ । ଏଥିପାଇଁ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଫେସର ପଶୁପାଳକ।

Related Posts