‘ପଦ୍ମପୁରବାସୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଓ ନେତୃତ୍ବ ଉପରେ ଭରସା କରିଛନ୍ତି’: ସମୀର ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଛି ।ପଦ୍ମପୁର ବିଧାନସଭା ଆସନକୁ ପୁଣି ଦଖଲରେ ନେଇଛି ଶାସକ ଦଳ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ଧାମନଗର ପରାସ୍ତ ହେବା ପରେ ଦୁଃଖିତ ଥିବା ସବୁଜ ଶିବିରରେ ଏବେ ସେଲିବ୍ରେସନ ହୋଇଛି । ପଦ୍ମପୁର ଫଳାଫଳ ପରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି, ‘ଜନ ସାଧାରଣ ନିଜର ନେତା ଚୟନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିକାଶ ଓ ନେତୃତ୍ବ ଉପରେ ଭରସା କରିଛନ୍ତି ଲୋକେ ।’

ପ୍ରତିକ୍ରିୟାରେ ଶିକ୍ଷାମନ୍ତ୍ରୀ କହିଛନ୍ତି,’ଏ ବିଜୟ ପାଇଁ ପଦ୍ମପୁରବାସୀଙ୍କ ଶ୍ରେୟ ଯାଉଛି । ସେମାନେ ତାଙ୍କ ନେତା ଚୟନ କରିଛନ୍ତି । ବିଜୁ ଜନତା ଦଳ ଓ ବର୍ଷା ସିଂ ବରିହାଙ୍କ ଉପରେ ଭରସା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ, ନେତୃତ୍ବ ଓ ପ୍ରତିଶ୍ରୁତି ପୂରଣ ଏହି ଫଳାଫଳ ଆଣିଛି । ବିଜୟ ବରିହାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମଧ୍ୟ କାମ ଦେଇଛି । ନିର୍ବାଚନ ଗୋଟିଏ ପ୍ରକ୍ରିୟା । କେଉଁ ସମୟରେ କଣ ରହିବା ବିଭିନ୍ନ ସମୟରେ ଦଳ ରଣନୀତି ପ୍ରସ୍ତୁତ କରିଥାଏ।’

ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ‘ମୋର ୪୦ ବର୍ଷର ରାଜନୈତିକ କ୍ୟାରିଅର । ଦେଖିବାକୁ ଗଲେ ଗାଁ ଗହଳିରେ କଂଗ୍ରେସ ସହ ବିଜେଡିର ଲଢେଇ ହୋଇଥାଏ । କଂଗ୍ରେସର କୌଣସି ବ୍ୟକ୍ତିଗତ ବିରୋଧୀ ନାହାନ୍ତି ଯାହା ଅଛି କେବଳ ରାଜନୈତିକ ବିରୋଧୀ । ଆଜି ବିଜେପିର ଆର୍ବିଭାବ କେବଳ କଂଗ୍ରେସ ଇରୋଜନରେ ହୋଇଛି ।’

ପ୍ରକାଶ ଥାଉ କି, ବିଧାୟକ ବିଜୟ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡିଥିଲା । ଏନେଇ ଡିସେମ୍ବର 5ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତାକାଲି (ଗୁରୁବାର) ଫଳାଫଳ ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥିନୀ ବର୍ଷାଙ୍କ ସପକ୍ଷରେ ୧,୨୦,୮୦୭ଖଣ୍ଡ ଭୋଟ ଯାଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮,୧୨୮ ଖଣ୍ଡ ଭୋଟ ଯାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ମାତ୍ର ୩୫୯୪ ଖଣ୍ଡ ଭୋଟ ମିଳିଛି ।

Related Posts