ୱାଶିଂଟନ: ଆମେରିକା ଉତ୍ତରପଶ୍ଚିମ ମିସିସିପ୍ପି ଅଞ୍ଚଳର ଟୁପେଲୋ ସହରରେ ଏକ ବିମାନ ଭୟ ସୃଷ୍ଟି କରିଛି । ସହରରେ ଥିବା ୱାଲ୍ମାର୍ଟ ସପିଂମଲ୍ରେ କ୍ରାସ କରିବାକୁ ଧମକ ଦେଉଛନ୍ତି ବିମାନ ଚଳାଉଥିବା ପାଇଲଟ। କେତେବେଳେ କଣ ଦୁର୍ଘଟଣା ହୋଇପାରେ ଏଥିପାଇଁ ପ୍ରଶାସନ ସପିଂ ମଲ୍ରୁ ଲୋକ ଖାଲି କରିବା ସହ ଆଖାପାଖ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି।
ପାଇଲଟ ଜଣଙ୍କ କାହିଁକି ଏପରି କରିବାକୁ ଚାହୁଁଛନ୍ତି ସେ ନେଇ ପୁଲିସ ତାଙ୍କ ସହ କଥାବାର୍ତ୍ତା ଜାରି ରଖିଥିବା ବେଳେ ପାଇଲଟଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ। ମିଳିଥିବା ଖବର ଅନୁସାରେ, ପାଇଲଟ ଜଣଙ୍କ ଟୁପେଲ ବିମାନବନ୍ଦରରୁ ବିଚ୍କ୍ରାଫ୍ଟ କିଂ ଏୟାର ୯୦ ବିମାନକୁ ଚୋରାଇ ଆଣିଛି। ଏହି ବିମାନଟିରେ ବସିବାକୁ ୯ଟି ସିଟ୍ ଥିବା ବେଳେ ଦୁଇଟି ଇଞ୍ଜିନ ରହିଛି।
ଏନେଇ ପୁଲିସ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ ଯେପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ, ସେପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଟୁପେଲୋ ସହର ଠାରୁ ଡେଞ୍ଜର ଜୋନ୍ ଅଧିକ ବଡ଼ ରହିଛି।” ତେଣୁ ଲୋକମାନଙ୍କୁ ଗୋଟିଏ ସ୍ଥାନରେ ଭିଡ଼ ନ ଜମାଇ ଅଲଗା ଅଲଗା ରହିବାକୁ କୁହାଯାଇଛି। ଏଥିସହିତ ସମସ୍ତ ଜରୁରୀକାଳୀନ ସେବାଗୁଡ଼ିକ ଆଲର୍ଟରେ ରଖାଯାଇଛି ବୋଲି ପୁଲିସ କହିଛି।
