ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଲିସ ଅଧିକାରୀଙ୍କୁ କାଠ ଫାଳିଆରେ ପିଟିବା ସହ ତାଙ୍କ ସର୍ଭିସ ରିଭଲଭର ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତସ୍ଥିତ ପଙ୍କାଳ ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତସ୍ଥିତ ପଙ୍କାଳ ଗ୍ରାମର ବାସିନ୍ଦା ଜଗାଙ୍କ ଘରେ ସଂପୃକ୍ତ ଯୁବତୀ ଥିବା ସୂଚନା ପାଇଥିଲା। ଗୁରୁବାର ଅପରାହ୍ନରେ ଢେଙ୍କାନାଳ ସଦର ଥାନାର ୬ ଜଣ କର୍ମଚାରୀ ଗୋଟିଏ ବେସରକାରୀ ଗାଡ଼ିରେ ଆସିଥିଲେ। ଅଭିଯୁକ୍ତ ଜଗା ନୂଆପାଟଣାସ୍ଥିତ ଶ୍ରୀଲକ୍ଷ୍ମୀ ଦୋକାନ ଆଗରେ ରହିଥିବା ସୂଚନା ପାଇଥିଲେ। ପୁଲିସ ଜଗାକୁ ଠାବ କରିବାପରେ ତାଙ୍କୁ ଧରି ନେଇ ଗାଡ଼ିରେ ବସିବା ପାଇଁ କହିବାରୁ ଜଗା ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଫୋନ ଯୋଗେ ନିଜର ସହଯୋଗୀମାନଙ୍କୁ ସେଠାକୁ ଡାକିଥିଲେ। ଘଟଣାସ୍ଥଳରେ ଜଗାର ପ୍ରାୟ ୨୦ ରୁ ଅଧିକ ସହଯୋଗୀ ପହଞ୍ଚି ଯାଇଥିଲେ। ସେଠାରେ ସେମାନେ ଜଗାଙ୍କୁ ପୁଲିସ କବଳରୁ ଛଡ଼ାଇ ନେବାସହ ପୁଲିସଗାଡ଼ିକୁ ପିଟି ଭାଙ୍ଗି ଦେଇଥିଲେ। ପରେ ସେମାନେ ପୁଲିସ କର୍ମଚାରୀଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଢେଙ୍କାନାଳ ସଦର ଥାନା ଏସ୍ଆଇ ଚନ୍ଦ୍ରକାନ୍ତ ସେଠୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଏଥିସହିତ, ଅଭିଯୁକ୍ତ ଜଗା ପୁଲିସ ଏସଆଇ ଶ୍ରୀ ସେଠୀଙ୍କର ସର୍ଭିସ ରିଭଲଭର୍ ଛଡ଼ାଇ ନେଇ ପଳାଇଥିବା ଜଣାପଡ଼ିଛି।
ପରେ ଘଟଣା ସମ୍ପର୍କରେ ସୂଚନା ପାଇ ତିଗିରିଆ ଆଇଆଇସି ସୁଚିତ୍ରା ଜେନା ଓ ଏସ୍ଆଇ ସନ୍ତୋଷ କୁମାର ପ୍ରଧାନ ସେଠାରେ ପହଞ୍ଚି ସମସ୍ତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଆହତ ପୁଲିସ ଏସ୍ଆଇ ଶ୍ରୀ ସେଠୀଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପଟେ ଢେଙ୍କାନାଳ ପୁଲିସ ପକ୍ଷରୁ ଏହି ଚଢ଼ଉ ସମ୍ପର୍କରେ ସ୍ଥାନୀୟ ତିଗିରିଆ ପୁଲିସକୁ କୌଣସି ସୂଚନା ଦିଆଯାଇନଥିବା କୁହାଯାଉଛି। ଏହି ଘଟଣା ପରେ ଆଠଗଡ଼ ଉପଖଣ୍ଡ ଅଧିକାରୀ ବିଜୟ କୁମାର ବିଶିଙ୍କ ସମେତ ଢେଙ୍କାନାଳ ସଦର ଥାନା ଆଇଆଇସି ଓ ଏସଡିପିଓ ତିଗିରିଆ ଥାନାରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।
