ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କୌଣସି ତ୍ରୁଟି ନ ରହେ ସେଥିପାଇଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷାର ତଦାରଖ କରୁଛନ୍ତି । ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ନ ହେବା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ସମ୍ପନ୍ଧୀୟ ପ୍ରକୃତ ସମସ୍ୟା ବନ୍ଦ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିବାରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଯୁବବର୍ଗଙ୍କ ଚିନ୍ତାକୁ ନେଇ ସରକାର ଗୁରୁତର ଭାବେ ଚିନ୍ତିତ ଅଛନ୍ତି।

ଯେପରି କୌଣସି ତ୍ରୁଟି ନ ରହେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷାର ତଦାରଖ କରୁଛନ୍ତି। ଜୁନ୍‌ ୨୧ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ କିଛି ନୂତନ ବ୍ୟବସ୍ଥା କରାଯାଇଥିବା ମେହେଟ୍ଟା ଜଣାଇଛନ୍ତି। ପ୍ରବେଶିକା ପରୀକ୍ଷାରେ ଅନିୟମିତତାକୁ ନେଇ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ଭର୍ତ୍ସନା କରିଛନ୍ତି।

ଏତେ ତଦାରଖ ବ୍ୟବସ୍ଥା ଏବଂ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ରହିବା ସତ୍ତ୍ୱେ ଏତେବଡ଼ ଅନିୟମିତତା କାହା ନଜରକୁ ଆସିଲାନି କିପରି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦେଶର ସିଭିଲ୍‌ ସର୍ଭିସ ପରୀକ୍ଷା ପରିଚାଳନା କରୁଥିବାବେଳେ ଏଭଳି ଅନିୟମିତତା କେବେ ହୋଇନାହିଁ। ସେମାନଙ୍କଠାରୁ ପରୀକ୍ଷା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଶିଖିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ପି.ଏସ୍‌. ନରସିଂହା ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ପ୍ରସ୍ତାବ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆମେ ଯୁବବର୍ଗଙ୍କୁ ଏଭଳି ନିରାଶ କରିପାରିବା ନାହିଁ। ବାରମ୍ବାର ପ୍ରଶ୍ନପତ୍ର ଲିକ୍‌ ହେଉଥିବାରୁ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏକୁ ପରିବର୍ତ୍ତନ କିମ୍ବା ପୁନର୍ଗଠନ କରି ଏକ ଶକ୍ତିଶାଳୀ ଓ ସ୍ବୟଂଶାସିତ ସଂସ୍ଥା ଗଠନ ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନକାରୀ ନିବେଦନ କରିଥିଲେ। ଖଣ୍ଡପୀଠ କହିଛନ୍ତି, ଏପରି ଘଟଣା ବାସ୍ତବରେ ଅତ୍ୟନ୍ତ ମାନସିକ ଯନ୍ତ୍ରଣାଦାୟକ। ଆମର ଅଧିକାଂଶ ସଂସ୍ଥା କାମଚଳା ହୋଇଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଏହି ବ୍ୟବସ୍ଥା ଏତେ ଅଧିକ ଯେ କେତେଜଣ ଭଲ ଅଫିସର କାମ କରୁଛନ୍ତି ଓ ଅନ୍ୟମାନେ ସେମାନଙ୍କ ଉପରେ ନିର୍ଭର କରୁଛନ୍ତି।

ଏଭଳି ସ୍ଥିତି ସବୁଆଡ଼େ ଦେଖିବାକୁ ମିଳୁଛି ବୋଲି ଖଣ୍ଡପୀଠ କହିଛନ୍ତି। ଗତ ୨୫ ତାରିଖର ନିର୍ଦ୍ଦେଶ ଉପରେ ଏନ୍‌ଟିଏ ନିର୍ଦ୍ଦେଶକ (ଲିଗାଲ) ସତ୍ୟପାଠ ଦାଖଲ କରିଥିବାବେଳେ ଖଣ୍ଡପୀଠ ଏହାକୁ ଭଲଭାବେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏନ୍‌ଟିଏ ସଂସ୍କାର ସମ୍ପର୍କରେ ସୁପାରିସ କରିଥିଲା। କମିଟି ସୁପାରିସ୍‌ର କାର୍ଯ୍ୟକାରିତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ରାଧାକ୍ରିଷ୍ଣନ ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଛନ୍ତି। ପରୀକ୍ଷା କେଉଁ ପଦ୍ଧତିରେ ଏବଂ କିପରି ଭାବେ ବର୍ଷକୁ ବର୍ଷ ପରିଚାଳିତ ହେବ, ସେନେଇ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।