ଚଣ୍ଡୀଗଡ଼: ପଞ୍ଜାବର ଭଗବନ୍ତ ମାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ ପ୍ରତିଦିନ ଗୁଳି ବିନିମୟ ନେଇ ଖବର ଆସୁଥିବାରୁ ସରକାର ଏହାକୁ ନେଇ କଠୋର ହୋଇଛନ୍ତି | ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅସ୍ତ୍ରଶସ୍ତ୍ରର ସର୍ବସାଧାରଣ ପ୍ରଦର୍ଶନକୁ ନିଷେଧ କରାଯିବ। ଏହା ସହିତ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ମଧ୍ୟ ଏତେ ସହଜରେ ମିଳିବ ନାହିଁ।
ବନ୍ଧୁକ ରଖିବା ନେଇ ଅନେକ ନିୟମ ପ୍ରସ୍ତୁତ କରାଯାଇଛି | ସେହିପରି ଯେଉଁମାନେ ନିଜ ପାଖରେ ବନ୍ଧୁକ ରଖୁଛନ୍ତି ସେମାନଙ୍କର ବନ୍ଧୁକ ଯାଞ୍ଚ କରାଯିବ। ସବୁଠାରୁ ବଡ କଥା ହେଉଛି ଏଣିକି ଆଉ ପଞ୍ଜାବୀ ଗୀତରେ ଅସ୍ତ୍ରଶସ୍ତ୍ରକୁ ଦେଖାଇ ହେବ ନାହିଁ ।
ପଞ୍ଜାବୀ ଆଲବମଗୁଡିକରେ ଏଣିକି ଆଉ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଖୁଲମଖୁଲା ପ୍ରଦର୍ଶିତ ହେବ ନାହିଁ। ସେହିପରି ଏପର୍ଯ୍ୟନ୍ତ ଜାରି କରାଯାଇଥିବା ସମସ୍ତ ବନ୍ଧୁକ ଲାଇସେନ୍ସକୁ ଆସନ୍ତା ୩ ମାସ ମଧ୍ୟରେ ସମୀକ୍ଷା କରାଯିବ। ଆଉ ଅତିରିକ୍ତ କମିଶନର ରାଙ୍କର କୌଣସି ଅଧିକାରୀ ସମ୍ମତି ନ ଦେବା ପର୍ଯ୍ୟନ୍ତ କୌଣସି ନୂତନ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ | ଏହା ବାଦ ସରକାର ନେଇଥିବା ଆଉ କିଛି ନିଷ୍ପତ୍ତି ମଧ୍ୟରେ ଅସ୍ତ୍ରଶସ୍ତ୍ରର ସର୍ବସାଧାରଣ ପ୍ରଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି | ଅସ୍ତ୍ରଶସ୍ତ୍ର କିମ୍ବା ହିଂସାକୁ ପ୍ରୋତ୍ସାହନ ଦେଉଥିବା ଗୀତଗୁଡିକ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
