ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତିକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସଂସଦରେ ବର୍ତମାନ ପରିସ୍ଥିତିକୁ ନଜରରେ ରଖି ଜରୁରୀକାଳୀନ ପରିସ୍ଥିତିକୁ ଆଉ ଏକମାସ ବୃଦ୍ଧି କିରବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବ୍ରିକମାସିଂଘେ ଜୁଲାଇ ୧୭ ତାରିଖରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ସେନା ହାତରେ ଅଧିକ କ୍ଷମତା ପ୍ରଦାନ କରିଥିଲେ । ଏହି କ୍ଷମତା ବଳରେ ସେନା କୌଣସି ବି ବ୍ୟକ୍ତିକୁ ବିନା କାରଣରେ ଗିରଫ କରିପାରିବ। ଏହାସହ ସାର୍ବଜନୀନ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ କୌଣସି ବ୍ୟକ୍ତିଗତ ସମ୍ପତ୍ତି ବି ସେନା ଜବତ କରିପାରିବ ବୋଲି କୁହାଯାଇଛି । ତେବେ ଶ୍ରୀଲଙ୍କାର ଜଣେ ସାଂସଦଙ୍କ କହିବା ମୁତାବକ ଏବେ ପୁଣି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରଖିବାକୁ ରାଷ୍ଟ୍ରପତିଙ୍କୁ ପୁଣିଥରେ ସଂସଦର ଅନୁମତି ନେବାକୁ ପଡିଥିଲା ।

ସୂଚନା ଅନୁସାରେ ୨ କୋଟିରୁ ଅଧିକ ଜନସଂଖ୍ୟା ଥିବା ଶ୍ରୀଲଙ୍କାରେ ଏବେ ଇନ୍ଧନ ଠାରୁ ଭୋଜନ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଛି । ସେପଟେ ସରକାର ଜରୁରୀ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ଉପରେ ରୋକ ଲଗାଇ ଦେଇଛନ୍ତି । ଗୋଟିଏ ମାସ ହେବ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଦେଶରେ ଏବେ ଯେଭଳି ଭାବେ ବିଜୁଳି ସଂକଟ ଦେଖିବାକୁ ମିଳିଛି ଏହା ଭବିଷ୍ୟତରେ ଶ୍ରୀଲଙ୍କାବାସୀଙ୍କୁ ଅନ୍ଧାର ଭିତରକୁ ଠେଲିଦେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।