ରାୟପୁର: ଗୋବର ପରେ ଏବେ ରାଜ୍ୟ ସରକାର ଗୋ ମୂତ୍ର କିଣିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଉ ରାଜ୍ୟ ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ ହେବେ ଚାଷୀ ଏବଂ ପଶୁପାଳକ।
ଛତିଶଗଡର ଭୂପେଶ ବଘେଲ ସରକାର ଗୋ ମୂତ୍ର କିଣିବା ଉପରେ କାମ କରୁଛନ୍ତି। ଏହି ପାଇଲଟ୍ ପ୍ରୋଜେକ୍ଟର ଆରମ୍ଭ ରାଜ୍ୟର ଉତ୍ତର ଜିଲ୍ଲାଗୁଡିକରେ ଆଗାମୀ କିଛି ସପ୍ତାହରେ ହେବାକୁ ଯାଉଛି। ଏଥିରେ ପଶୁପାଳକଙ୍କୁ ବ୍ୟବସାୟୀଙ୍କ ସହ ଯୋଡା ଯାଇ ପାରିବ।
ଚଳିତ ବର୍ଷ ଫେବୃଆରୀରେ ବଘେଲ ସରକାର ଗୋମୂତ୍ର କିଣିବାକୁ ନିର୍ଣ୍ଣୟ ନେଇଥିଲେ। ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା। ଗୋମୂତ୍ର କିଣିବାର ପ୍ରକ୍ରିୟା ଏବଂ ଯୋଜନା ଉପରେ ଅଧ୍ୟୟନ କରି ରିପୋର୍ଟ ଦେବାକୁ କମିଟିକୁ ଦାୟିତ୍ଵ ଦିଆଯାଇଥିଲା। କମିଟି ଏକ ପ୍ରସ୍ତାବ ପ୍ରସ୍ତୁତ କରି ସାରିଥିବା ବେଳେ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବ।
କେତେ ରହିବ ମୂଲ୍ୟ
କମିଟିର ନିଷ୍ପତ୍ତି ଅନୁଯାୟୀ, ଗୋମୂତ୍ରର ଲିଟର ପିଛା ମୂଲ୍ୟ ୪ ଟଙ୍କା ରହିବ। ଏହା ଉପରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସହମତି ବାକି ରହିଛି। ଗୋମୂତ୍ର ଗ୍ରାମ ଗୋଧନ କମିଟି ଜରିଆରେ କିଣାଯିବ। ଯିଏ ଗୋମୂତ୍ର କିଣିବା ପାଇଁ ପ୍ରଥମେ ଆବେଦନ କରିବେ ତାଙ୍କୁ ପ୍ରାଥମିକତା ଦିଆଯିବ। ଯୋଜନା ଜୁଲାଇ ୨୮ରେ ଶୁଭାରମ୍ଭ ହୋଇପାରେ ବୋଲି ଅଧିକାରୀ କହିଛନ୍ତି। ଏହି ଦିନ ଛତିଶଗଡର ସ୍ଥାନୀୟ ପର୍ବ ହେରେଲୀ ପାଳନ କରାଯିବ। ୨୦୨୦ ଜୁନ ୨୫ରେ ବଘେଲ ସରକାର ଗୋଧନ ନ୍ୟାୟ ଯୋଜନା ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ବଘେଲ ସରକାର ଚାଷୀ ଏବଂ ପଶୁପାଳକଙ୍କଠୁ ଗୋବର କିଣିଥିଲେ।
