ରାଜ୍ୟର ୮ଟି ଜଳଭଣ୍ଡାରର ସ୍ଥିତି ଠିକ୍ ଅଛି, କୌଣସି ସ୍ଥାନରୁ ବନ୍ୟା ଖବର ଆସିନାହିଁ : ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୮ଟି ଜଳଭଣ୍ଡାରର ସ୍ଥିତି ଠିକ୍ ଅଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । କେଉଁଠି ୩୦ ପ୍ରତିଶତ ତ କେଉଁଠି ୭୦ ପ୍ରତିଶତ ଜଳ ରହିଛି । କୌଣସି ସ୍ଥାନରୁ ବନ୍ୟା ଖବର ଆସିନାହିଁ।

କିଛି ନଦୀର ଜଳସ୍ତର ବୃଦ୍ଧି ପାଉଛି । ବଂଶଧାରା ନଦୀର ଜଳସ୍ତର କାଶୀନଗରଠାରେ ବଢିବା ସ୍ଥିତିରେ ରହିଛି । କିନ୍ତୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି ।ସେହିପରି ଟିକରପଡ଼ା, ଖଇରମାଳ ଓ ନରାଜଠାରେ ମହାନଦୀ ଜଳସ୍ତର ବଢିବା ସ୍ଥିତିରେ ଅଛି । ନିମାପଡ଼ାଠାରେ କୁଶଭଦ୍ରା, ଆଳିପିଙ୍ଗଳଠାରେ ଦେବୀ, ଆନନ୍ଦପୁର ଓ ଆଖୁଆପଦାରେ ବ୍ରାହ୍ମଣୀ, ବାରିପଦାରେ ବୁଢାବଳଙ୍ଗ, ରାଜଘାଟ ଓ ଜଳକା ମଥାନୀ ରୋଡ୍ ବ୍ରିଜଠାରେ ସୁବର୍ଣ୍ଣରେଖା, ସୋରଡ଼ା, ମାଧବରିଦା ଓ ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ବଢିବା ସ୍ଥିତିରେ ରହିଛି। କିନ୍ତୁ ବିପଦ ସଙ୍କେତ ତଳେ ନଦୀର ଜଳସ୍ତର ପ୍ରବାହିତ ହେଉଛି । ପାଣିପାଗ ରିପୋର୍ଟ ଅନୁଯାୟୀ ଆମ ବିଭାଗ ସଜାଗ ଅଛି । କୌଣସି ସ୍ଥାନ ଜଳମଗ୍ନ ହେବା ନେଇ ଖବର ଆସିନାହିଁ ବୋଲି ବିଜୟ ମିଶ୍ର କହିଛନ୍ତି ।

Related Posts