୨୦୧୮ ଡିସେମ୍ବର ୧୨ରେ ବସିଥିବା କଲେଜିୟମ ମିଟିଂର ତଥ୍ୟ ଦେବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଲେଜିୟମ ମିଟିଂର ବିସ୍ତୃତ ତଥ୍ୟ ଦେବାକୁ କରାଯାଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ ମସିହା ଡିସେମ୍ବର ୧୨ରେ ବସିଥିଲା ବୈଠକ । ଆବେଦନକାରୀ ଆରଟିଆଇ ଜରିଆରେ ବୈଠକ ସମ୍ପର୍କରେ ତଥ୍ୟ ମାଗିଥିଲେ। ବୈଠକରେ କ’ଣ ସବୁ ହୋଇଥିଲା ଓ କେଉଁ ଆଧାରରେ ବିଚାରପତି ପଦ ପାଇଁ ନାଁ ସୁପାରିସ କରାଯାଇଥିଲା, ସେବାବଦରେ ଆବେଦନକାରୀ ତଥ୍ୟ ମାଗିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।

କଲେଜିୟମ ହେଉଛି ଏକାଧିକ ସଦସ୍ୟ ଥିବା ଗୋଟିଏ ସଂସ୍ଥା। ଏହାର ବୈଠକରେ କ’ଣ ସବୁ ଆଲୋଚନା ହେଲା, ସେସବୁ ସାର୍ବଜନୀନ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ବୈଠକରେ ଆସିଥିବା ସଂକଳ୍ପ ଓ କଲେଜିୟମରେ ଥିବା ସବୁ ସଦସ୍ୟଙ୍କ ଦସ୍ତଖତକୁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ବିବେଚନା କରିବାକୁ ପଡ଼ିବ।

ଆଲୋଚନା ବେଳେ ଅନେକ ପ୍ରସଙ୍ଗ ଆସେ। ଯେଉଁ ପର୍ଯ୍ୟନ୍ତ ବିଚାରବିମର୍ଶ ଦ୍ୱାରା କଲେଜିୟମର ସବୁ ସଦସ୍ୟ ଦସ୍ତଖତ କରିନାହାନ୍ତି, ସେଯାଏ ଏହାକୁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି କୁହାଯାଇ ପାରିବ ନାହିଁ। ଜଣେ ପୂର୍ବତନ କଲେଜିୟମ ସଦସ୍ୟ(ଜଷ୍ଟିସ ମଦନ ବି ଲୋକୁର)ଙ୍କ ମନ୍ତବ୍ୟ ଉପରେ ଆବେଦନଟି ପର୍ଯ୍ୟବେସିତ। ସେ ଦୁଇ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପ୍ରମୋସନ ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଜଣେ ପୂର୍ବତନ ବିଚାରପତିଙ୍କ ମନ୍ତବ୍ୟର କୌଣସି ମୂଲ୍ୟ ନାହିଁ। କାରଣ ଆଲୋଚନା କଲେଜିୟମର ନିଷ୍ପତ୍ତି ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦନକାରୀ ଅଞ୍ଜଳି ଭରଦ୍ୱାଜା ୨୦୧୮ ମସିହା ଡିସେମ୍ବର ୧୨ରେ କଲେଜିୟମ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ। ତତ୍କାଳୀନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ ବୈଠକରେ ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଏକେ ସିକ୍ରୀ, ଜିଷ୍ଟିସ ଏସଏ ବୋବଡେ ଓ ଜଷ୍ଟିସ ଏନଭି ରମନା ରହିଥିଲେ।

ଉକ୍ତ ବୈଠକରେ କଲେଜିୟମ ଏକାଧିକ ଜଜଙ୍କୁ ପଦୋନ୍ନତି ଓ ହାଇକୋର୍ଟରେ ଥିବା କିଛି ମୁଖ୍ୟ ବିଚାରପତି ଓ ବିଚାରପତିଙ୍କୁ ବଦଳି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏସମ୍ପର୍କରେ ସୁପ୍ରିମକୋର୍ଟ ୱେବସାଇଟରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନଥିଲା।

୨୦୧୯ ଜାନୁଆରୀ ୧୦ରେ କଲେଜିୟମ ପୁଣି ଗୋଟିଏ ସଂକଳ୍ପ ପାରିତ କରିଥିଲେ। ହେଲେ କଲେଜିୟମରେ ଥିବା ବିଚାରପତିଙ୍କ କମ୍ବିନେସନ ବଦଳି ଯାଇଥିଲା। କାରଣ ଜଷ୍ଟିସ ଲୋକୁର ଅବସର ନେଇ ସାରିଥିଲେ। ଏହି ସଂକଳ୍ପରେ କୁହାଯାଇଥିଲା ଯେ ୨୦୧୮ ଡିସେମ୍ବର ୧୨ରେ ବସିଥିବା କଲେଜିୟମ ବୈଠକରେ କେବଳ କିଛି ନାଁ ଉପରେ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲା।

ଏଥିସହ ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ସୁପାରିସ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ଏହାକୁ ଗ୍ରହଣ କରି ନେଇଥିଲେ।

୨୦୧୯ରେ ଜଷ୍ଟିସ ଲୋକୁର ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି ପ୍ରସଙ୍ଗ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୧୮ ଡିସେମ୍ବର ୧୨ କଲେଜିୟମ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ ହୋଇ ନଥିବାରୁ ସେ ନିଜର ଅସନ୍ତୋଷ ଜାହିର କରିଥିଲେ। ଜଷ୍ଟିସ ଲୋକୁର କ’ଣ ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ଓ ବୈଠକରେ କ’ଣ ସବୁ ହୋଇଥିଲା, ସେ ବିଷୟରେ ଜାଣିବା ପାଇଁ ଆବେଦନକାରୀ ଚାହିଁଥିଲେ।

Related Posts