ମୋଦିଙ୍କ ବିରୋଧରେ ଟ୍ୱିଟ୍ ପଡ଼ିଲା ମହଙ୍ଗା; ଜାମିନ ମିଳିବାର କିଛି ଘଣ୍ଟା ପରେ ଟିଏମସି ମୁଖପାତ୍ରଙ୍କୁ ପୁଣି ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ ପୁଣି ଥରେ ଗିରଫ କରିଛି ପୋଲିସ୍। କୋର୍ଟରେ ଜାମିନ ମିଳିବାର କିଛି ଘଣ୍ଟା ପରେ ଗୁଜରାଟର ମୋରବି ପୋଲିସ୍ ପୁଣି ତାଙ୍କୁ ଗିରଫ କରିଛି। ସାକେତ ଗୋଖଲେଙ୍କ ସମର୍ଥନରେ ୫ ଟିଏମସି ନେତାଙ୍କ ଦ୍ୱାରା ଗଠିତ ଏକ ଦଳ ଏବେ ମୋରବି ଯାଉଥିବା ସୂଚନା ମିଳିଛି।

ସୂଚନାନୁସାରେ, ମୋରବି ପୋଲ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଗୋଖଲେ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଜାମିନ୍ ମିଳିବାର କିଛି ଘଣ୍ଟା ପରେ ୮ ତାରିଖ ଦିନ ପୁଣି ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ରାଗି ଯାଇ ଟିଏମସି ନେତା ଡେରେକ୍‌ ଓ’ ବ୍ରାଏନ୍‌ ଟ୍ୱିଟ କରି ଲେଖିଛନ୍ତି ଯେ, ଜାମିନ୍ ମିଳିବା ପରେ ଟିଏମସି ନେତା ସାକେତ ଗୋଖେଲଙ୍କୁ ଗିରଫ କରିଛି ପୋଲିସ୍। ତାପୁଣି ବିନା ନୋଟିସ ଏବଂ ବିନା ୱାରେଣ୍ଟରେ ତାଙ୍କୁ ଏକ ଆଜ୍ଞାତ ସ୍ଥାନକୁ ନିଆଯାଇଥିଲା। ଯାହା ଅତ୍ୟନ୍ତ ନିନ୍ଦନୀୟ। ଏହାସହ ଗୁଜରାଟ ପୋଲିସ ତାଙ୍କୁ ହଇରାଣ ହରକତ କରିଥିବା ଡେରେକ୍‌ ଓ’ବ୍ରାଏନ୍‌ ଟ୍ୱିଟ୍‌ କରି ଅଭିଯୋଗ ବି କରିଛନ୍ତି।

ସୂଚନା ଅନୁଯାୟୀ, ଗୋଖଲେ ଡିସେମ୍ବର ପହିଲାରେ ଟ୍ୱିଟ୍ କରି ଦାବି କରିଥିଲେ ଯେ, ଏକ ଆର୍‌ଟିଆଇ ସୂଚନାରୁ ଜଣାପଡ଼ିଛି ମୋର୍ବି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ଫଳରେ ରାଜ୍ୟ ସରକାରଙ୍କୁ ୩୦ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିଛି, ଯାହା ମୋର୍ବି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଇଥିବା ମୋଟ କ୍ଷତିପୂରଣ ରାଶିର ୬ ଗୁଣ। ଅର୍ଥାତ୍ ମୋର୍ବି ଦୁର୍ଘଟଣାର କ୍ଷତିଗ୍ରସ୍ତ ପ୍ରାୟ ଦେଢ଼ଶହ ପରିବାରକୁ ମାତ୍ର ୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କ ଫ୍ୟାକ୍ଟ-ଚେକ୍ ୟୁନିଟ୍ ସେହିଦିନ ହିଁ ଜାଣିବାକୁ ପାଇଥିଲା ଯେ ଗୋଖଲେଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ସେ ଯେଉଁ ଆର୍‌ଟିଆଇ ସୂଚନାର ଦାବି କରୁଛନ୍ତି ତାହା ନକଲି।

Related Posts