କଟିଲା ଟିକେଟ, ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ୱର,୨୨/୪(ସତ୍ୟପାଠ ବ୍ୟୁରୋ):  ବିଜେଡ଼ି ଟିକେଟ୍ କଟିଲା ପରେ ଦଳ ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଗତକାଲି ସୀମାରାଣୀଙ୍କ ନାଁ ନଥିଲା। ତାଙ୍କ ସ୍ଥାନରେ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳ ବିଧାନସଭା ଆସନ ଟିକେଟ୍ ଦେଇଛି ବିଜେଡି।

ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୀମାରାଣୀ । ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

ଗତକାଲି ବିଜେଡି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ ବିଧାୟକଙ୍କ ଟିକେଟ କାଟିଛି। ଗତକାଲି ଦଳ ହିନ୍ଦୋଳ, ରଘୁନାଥପାଲୀ, ବାଲିକୁଦା-ଏରସମା, କାକଟପୁର, ବାଙ୍ଗିରିପୋଷି ଓ ବରୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ସେମାନଙ୍କ ମଧ୍ୟରୁ ହିନ୍ଦୋଳ, ବାଲିକୁଦା-ଏରସମା, ରଘୁନାଥପାଲୀ ଓ ବରୀ ବିଧାୟକଙ୍କ ଟିକେଟ କାଟିଛି ଦଳ ।

ହିନ୍ଦୋଳରୁ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ୍ କଟିଛି। ସେ ଏହି ଆସନରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। କିନ୍ତୁ ଦଳ ତାଙ୍କୁ ଆଉ ସୁଯୋଗ ଦେଇନି। ତାଙ୍କ ବଦଳରେ ଦଳ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳ ଲୋକସଭା ଆସନରୁ ବିଜେଡି ଏଥର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି।

Related Posts