ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଚାଲିଥିବା ଏକଛତ୍ରବାଦ ସରକାର ବିରୋଧରେ ଆଉ ଏକ ଭାରତ ଛାଡ ଆନ୍ଦୋଳନର ସମୟ ଆସିଛି। ଏଭଳି କହିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଆହୁରି କହିଛନ୍ତି ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗାଇ, ବେରୋଜଗାରି ପରିସ୍ଥିତିରୁ ଦେଶକୁ ରକ୍ଷା କରିବାକୁ ପଡ଼ିବ।

ସୋମବାର ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତି ଉପଲକ୍ଷେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାହୁଲ ଲେଖିଛନ୍ତି ଯେ, ଭାରତ ଛାଡ଼ ଆନ୍ଦୋଳନ- ଆମ ଇତିହାସର ଏପରି ଏକ ଅଧ୍ୟାୟ ଯାହାକୁ କେବେବି ଭୁଲି ହେବ ନାହିଁ ।୮ ଅଗଷ୍ଟ, ୧୯୪୨ରେ ବମ୍ବେରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଇଂରେଜମାନଙ୍କ ନିଦ ଉଡ଼ାଇଦେଇଥିଲା । ସେହି ଦିନ ସଂଧ୍ୟାରେ ବମ୍ବେର ଗୋବାଲିଆ ଟ୍ୟାଙ୍କ ପଡ଼ିଆରେ ଲୋକମାନେ ଏକାଠି ହେବା ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧି ‘କର ବା ମର’ ଡକରା ଦେଇଥିଲେ ଓ ଏହା ସହିତ ଭାରତରେ ଇଂରେଜ ଶାସନର ଶେଷ ଅଧ୍ୟାୟ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନରେ ଲୋକମାନେ ନିଜ ଜୀବନକୁ ଖାତିର ନକରି ଯୋଗଦେଇଥିଲେ ଓ ଏହି ଆନ୍ଦୋଳନରେ ପ୍ରାୟ ୯୪୦ ଜଣ ଲୋକ ଶହୀଦ ହୋଇଥିଲେ ଓ ହଜାର ହଜାର ଗିରଫ ହୋଇଥିଲେ । ଆଜି ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତି ଉପଲକ୍ଷେ ମୁଁ ସହୀଦ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

ରାହୁଲ ଆହୁରି କହିଛନ୍ତି ଆଜି ଦେଶର ଏକଛତ୍ରବାଦ ସରକାର ବିରୋଧରେ ଓ ଦେଶକୁ ବଞ୍ଚାଇବାକୁ ଆଉ ଏକ ‘କର ବା ମର’ ଆନ୍ଦୋଳନର ଆବଶ୍ୟକତା ରହିଛି । ସମୟ ଆସିଛି, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ହେବ । ଏକଛତ୍ରବାଦ, ମହଙ୍ଗାଇ ଓ ବେରୋଜଗାରୀକୁ ଭାରତ ଛାଡ଼ିବାକୁ ହେବ ।