ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପରେ ମୋଦିଙ୍କ ଉପରେ ବର୍ଷିଲେ ବିରୋଧୀ; ଜାଣନ୍ତୁ, କିଏ କ’ଣ କହିଲେ

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ମାନହାନୀ ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି। ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ବିରୋଧୀ ଦଳର ନେତାମାନେ ପ୍ରତିକ୍ରିୟା ପ୍ରକାଶ କରି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆସନ୍ତୁ ଜାଣିବା କିଏ କ’ଣ କହିଛନ୍ତି।

ଅରବିନ୍ଦ କେଜରିୱାଲ୍ (ଦିଲ୍ଲୀ ମୁଖ୍ୟମନ୍ତ୍ରୀ)

ଲୋକସଭାରୁ ରାହୁଲ ଗନ୍ଧୀ ଜୀଙ୍କର ବହିଷ୍କାର ଆଶ୍ଚର୍ଯ୍ୟକର। ଦେଶ ବହୁତ କଠିନ୍ନ ପରିସ୍ଥିତି ଦେଇ ଗତି କରୁଛି। ପୂରା ଦେଶକୁ ଏମାନେ ଡରାଇ ରଖିଛନ୍ତି। ୧୩୦ କୋଟି ଲୋକଙ୍କୁ ଏମାନଙ୍କର ଅହଂକାରୀ ସତ୍ତା ବିରୋଧରେ ଏକତ୍ର ହେବା ଉଚିତ୍। ଦେଶରେ ଏମାନେ ୱାନ ନେସନ ୱାନ ପାର୍ଟି ଏବଂ ୱାନ ନେସନ ୱାନ ନେତାର ମାହୋଲ ବନାଉଛନ୍ତି ବୋଲି ବିଜେପି କୁ ଟାର୍ଗେଟ କରି କେଜରିୱାଲ ଟୁଇଟ୍ କରିଛନ୍ତି। ସେହିଭଳି ଦିଲ୍ଲୀ ବିଧାନସଭାରେ ସମାନ ପ୍ରସଙ୍ଗକୁ ନେଇ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଟାର୍ଗେଟ କରିଛନ୍ତି। କେଜରିୱାଲ କହିଛନ୍ତି, ଭାରତର ଇତିହାସରେ ସବୁଠାରୁ ଭ୍ରଷ୍ଟ ଓ କମ୍ ପାଠ ପଢିଥିବା ପ୍ରଧାନମନ୍ତ୍ରୀ ଯଦି କେହି ହୋଇଛନ୍ତି ତାହେଲେ ସେ ହେଉଛନ୍ତି ମୋଦି। ଦେଶରେ ବିଜେପି ସରକାର ଏବେ ଏକ ଭୟର ବାତାବରଣ ସୃଷ୍ଟି କରିଛନ୍ତି। କଣ ଏଥିପାଇଁ ସ୍ଵାଧୀନତା ଲଢେଇ ଲଢ଼ିଥିଲୁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ମମତା ବାନାର୍ଜୀ (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ)

ପ୍ରଧାନମନ୍ତ୍ରୀଙ୍କର ନୂଆ ଭାରତରେ ବିରୋଧୀ ଦଳନେତାମାନେ ବିଜେପିର ପ୍ରଧାନ ଟାର୍ଗେଟ୍। ଅପରପକ୍ଷରେ ଅପରାଧିକ ପୃଷ୍ଠଭୂମି ଥିବା ବିଜେପି ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯାଉଛି। ଆଜି ବିରୋଧୀ ଦଳର ନେତାମାନେ ତାଙ୍କ ଭାସଣ ଯୋଗୁ ଅଯୋଗ୍ୟ ଘୋଷିତ ହେଉଛନ୍ତି। ଆମେ ଆମ ସାମ୍ବିଧାନିକ ଗଣତନ୍ତ୍ରର ଏକ ନିମ୍ନ ସ୍ତର ଦେଖୁଛୁ।

କେ.ସି.ଆର୍ (ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ)

ରାହୁଲଙ୍କ ଗିରଫଦାରୀ ନରେନ୍ଦ୍ର ମୋଦୀଙ୍କ ଅହଂକାରୀ ଓ ଏକଛତ୍ରବାଦୀ ବ୍ୟବହାର ପରାକାଷ୍ଠା। ଗଣତନ୍ତ୍ର ପାଇଁ ଆଜି କଳା ଦିନ। ଯେଉଁମାନେ ଗଣତନ୍ତ୍ରକୁ ସମର୍ଥନ କରୁଛନ୍ତି ସେମାନେ ଏନ୍‌ଡିଏର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ଦରକାର। କେନ୍ଦ୍ର ସରକାର କେବଳ ଗଣତନ୍ତ୍ରୀକ ସଂସ୍ଥାର ଦୁରୁପଯୋଗ କରୁ ନାହାନ୍ତି ବରଂ ସଂସଦର ଦୁରୁପଯୋଗ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ପଦକ୍ଷେପ।

ଏମ୍‌.କେ.ଷ୍ଟାଲିନ (ତାମିଲନାଡୁ ମୁଖ୍ୟମନ୍ତ୍ରୀ)

ପ୍ରଗତିଶୀଳ ଗଣତନ୍ତ୍ରୀକ ଶକ୍ତି ଉପରେ ଆକ୍ରମଣ। ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବାର ଫାସୀବାଦୀ ନିଷ୍ପତ୍ତିକୁ ମୁଁ କଡ଼ା ନିନ୍ଦା କରୁଛି। ଏଭଳି କାର୍ଯ୍ୟାନୁଷ୍ଠାନ ଏହା ଦର୍ଶାଉଛି ଯେ ବିରୋଧୀ ଦଳର ନେତାମାନଙ୍କର ନିଜ ସ୍ୱର ଉଠାଇବାର ଅଧିକାର ନାହିଁ। ଭାରତ ଯୋଡ଼ ଯାତ୍ରାର ସଫଳତା ପରେ ବିଜେପି ରାହୁଲ ଗାନ୍ଧୀଙ୍କୁ ଡରୁଛି।

ହେମନ୍ତ ସୋରେନ (ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ)

ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଜଣାପଡ଼ିଲା ଯେ ରାଜନୈତିକ ମତଭେଦ କ୍ଷମତାରେ ଥିବା ସରକାର ପାଇଁ ପ୍ରତିଶୋଧର ଲଢେଇ ହେଇଯାଉଛି। ଆଜିର ଅମୃତକାଳରେ ସରକାର ସମସ୍ତ ବୁଦ୍ଧି ପ୍ରୟୋଗ କରି ବିରୋଧୀ ନେତାଙ୍କୁ ଏକତରଫା ଭାବେ ଟାର୍ଗେଟ୍ କରୁଛି।

ଅଖିଳେଶ ଯାଦବ (ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ)

ସଂସଦର ସଦସ୍ୟତାର ଅପହରଣ କଲେ ରାଜନୈତିକ ଆହ୍ୱାନ ଶେଷ ହୁଏନି। ସବୁଠାରୁ ବଡ଼ ଆନ୍ଦୋଳନ ସଂସଦ ନୁହେଁ ସଡ଼କ ଉପରେ ଲଢ଼ି ଜିତାଯାଇପାରିବ। ଯେଉଁଭଳି ରାହୁଲଙ୍କ ସଦସ୍ୟତା ରଦ୍ଦ କରାଗଲା ସେଭଳି ବିଜେପି ନେତାମାନଙ୍କ ଭାଷଣକୁ ନେଇ ମାନହାନି ମକଦ୍ଦମା ହେଲେ ବିଜେପି ନେତାଙ୍କ ଭବିଷ୍ୟତ କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ମନୋଜ କୁମାର ଝା (ଆର୍‌ଜେଡି ନେତା)

ମନୋଜ ଝା କହିଛନ୍ତି ଆଜି ଖାଲି ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇନାହିଁ, ବରଂ ଆଜି ଗଣତନ୍ତ୍ରର ହତ୍ୟା କରାଯାଉଛି। ରାହୁଲ ଯେଉଁ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଥିବା ଅଭିଯୋଗ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ଏବେ ସମୟ ଆସିଛି ସମସ୍ତ ବିରୋଧୀ ଏକତ୍ରିତ ହୋଇ ଏହା ବିରୋଧରେ ଲଢେ଼ଇ ଲଢ଼ିବା ପାଇଁ।

ଶରଦ ପାୱାର ( ଏନସିପି ମୁଖ୍ୟ )

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ଗଣତନ୍ତ୍ରର ମୂଲ୍ୟବୋଧନ ହ୍ରାସ ପାଇଛି। ଏହା ସମ୍ବିଧାନର ସିଦ୍ଧାନ୍ତ ବିରୋଧରେ ଯାଇଛି। ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଗଣତନ୍ତ୍ରୀକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ ବୋଲି କହି ସବୁ ବିରୋଧୀଙ୍କୁ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି।

Related Posts