ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର ଦାବି ନେଇ ୧୧ ତାରିଖରେ ବିକ୍ଷୋଭ ଡାକରା ଦେଲା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୯ ରୋଟାରି ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ତରଫରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାର ସଂପୂର୍ଣ୍ଣ ପ୍ରତ୍ୟାହାର, ଚୁକ୍ତି ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଓ ପ୍ରାଥମିକ ଶିକ୍ଷକଙ୍କ ୬ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍‌ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଓ ଇନ୍‌କ୍ରିମେଣ୍ଟ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ମହାସଂଘ ପକ୍ଷରୁ ସରକାରଙ୍କ ସାମ୍ନାରେ ରଖାଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଚୁକ୍ତିଭିତ୍ତିକ ବ୍ୟବସ୍ଥା ପ୍ରତ୍ୟାହାର ନହେଲେ ୧୧ତାରିଖରେ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି।

ସଂଘର ଅଭିଯୋଗ ଅନୁଯାୟୀ ସ୍ଥାୟୀ ସରକାରୀ କର୍ମଚାରୀଙ୍କ ଭଳି ବେତନ ସୁବିଧା ସହ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରକାର ସେମାନଙ୍କୁ ପ୍ରତିଶୃତି ଦେଇଥିଲେ, ମାତ୍ର ତାହା ଏପର୍ଯ୍ୟନ୍ତ ହୋଇପାରିଲାନାହିଁ। ସେହିପରି ସପ୍ତମ ବେତନ କମିସନଙ୍କ ସୁପାରିଶ ସେମାନଙ୍କ ପାଇଁ ଲାଗୁ ହୋଇନାହିଁ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଆଜି ବି ପେ’ ଓ ଗ୍ରେଡ୍‌ ପେ’ ବ୍ୟବସ୍ଥା ଜାରି ରହିଛି। ୨୦୧୮ ଅଗଷ୍ଟରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ୧୫ଜଣିଆ ପ୍ରତିନିଧି ଦଳ ସହ ଆଲୋଚନା କିର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତି ସେମିତି ରହିଗଲା। ୨୦୨୧ ଅକ୍ଟୋବରରେ ସଂଘ ସହିତ ଆଲୋଚନା କରି ଦରମା ୫୦ ପ୍ରତିଶତ ବୃଦ୍ଧି କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ବି ପୂରଣ କଲେନାହିଁ। ସେହିପରି ସଚିବାଳୟ ଓ ବିଧାନସଭାର ଏଏସ୍‌ଓ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଛି କର୍ମଚାରୀଙ୍କୁ ଏଥିରୁ ସଂପୂର୍ଣ୍ଣ ବାଦ୍‌ ଦିଆଯାଇଛି। ଆଉ କିଛି କର୍ମଚାରୀଙ୍କ ପାଇଁ ୩ବର୍ଷର ଚୁକ୍ତିଭିତ୍ତିକ ଅବଧି ଲଦି ଦିଆଯାଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

Related Posts