ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ପରିଦର୍ଶନ କଲେ ଏଫ୍‌ଆଇଏଚ୍‌ ଓ ହକି ଇଣ୍ଡିଆର ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୩ ହକି ବିଶ୍ୱକପକୁ ଆଖିଆଗରେ ରଖି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଓ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୁଧବାର ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ପରିଦର୍ଶନ କରିଛନ୍ତି।ଏହି ପ୍ରତିନିଧି ମଣ୍ଡଳୀରେ ଏଫ୍‌ଆଇଏଚ୍‌ର କାର୍ଯ୍ୟକାରୀ ସଭାପତି ସୈଫ୍‌ ଅହମଦ, ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରୀ ଓ୍ବିଲ, ହକି ଇଣ୍ଡିଆ କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର୍ସ (ସିଓଏ) ପ୍ରତିନିଧି ଏସ୍‌.ଓ୍ବାଇ କୁରେଶି ଓ ଜାଫର ଇକ୍‌ବାଲ ସାମିଲ ଥିଲେ। ଆଗାମୀ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ ହେବାକୁ ଯାଉଛି। ହକିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସମର୍ଥନ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମ ନିର୍ମାଣ ଅଗ୍ରଗତି ନେଇ ଉକ୍ତ ପ୍ରତିନିଧି ମଣ୍ଡଳୀ ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ସହ ଇଡ୍‌କୋ ଚେୟାରମ୍ୟାନ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍‌କୋ ଏମ୍‌ଡି ଭୂପିନ୍ଦର ପୁନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରିଦର୍ଶନ ଅବସରରେ ପ୍ରତିନିଧି ଦଳ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଥିବା ପ୍ରାକ୍ଟିସ ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଷ୍ଟାଡିୟମର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ ବୋଲି ପ୍ରକାଶ କରାଯାଇଛି।

‘ଭବ୍ୟ ସ୍ବାଗତ ପାଇଁ ଓଡ଼ିଶା ସରକାଙ୍କୁ ଧନ୍ୟବାଦ। କାର୍ଯ୍ୟ ଯେପରି ଆଗେଇ ଚାଲିଛି ରାଉରକେଲା ଓ ଭୁବନେଶ୍ୱରରେ ଆଗାମୀ ବିଶ୍ୱକପ୍‌ ସ୍ମରଣୀୟ ହେବ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ ପାଇଁ ଓଡ଼ିଶାର ଆଗ୍ରହ ଆମ ଆତ୍ମବିଶ୍ୱାସ ବଢ଼ାଇଛି’ ବୋଲି ସୈଫ ଅହମଦ ପ୍ରକାଶ କରିଛନ୍ତି। ସିଓଏ ପ୍ରତିନିଧି ଏସ୍‌.ଓ୍ବାଇ. କୁରେଶି କହିଛନ୍ତି ଯେ, ଆମେ ରାଉରକେଲା ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଦେଖି ବହୁତ ଖୁସି। ଏହାକୁ ଉନ୍ନତ ଭାବେ ନିର୍ମାଣ କରାଯାଉଛି ଏବଂ ଆମ ସହ ଆୟୋଜକ ଏଫ୍‌ଆଇଏଚ୍‌ ମଧ୍ୟ ଏନେଇ ସନ୍ତୁଷ୍ଟ ଅଛି। ଓଡ଼ିଶାରେ ଯେ କୌଣସି ଇଭେଣ୍ଟ ଅତି ସଫଳତାର ସହ ଆୟୋଜନ ହୋଇଥାଏ। ରାଜନୈତିକ ନେତୃବୃନ୍ଦଙ୍କ ସମ୍ପୃକ୍ତି ଥିବାରୁ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସେହିପରି ଜାଫର ଇକ୍‌ବାଲଙ୍କ ମତରେ ଭାରତ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ଅନ୍ୟ କୌଣସି ଦେଶ ଏତେଥର ଆୟୋଜନ କରିପାରି ନାହାନ୍ତି। ଏହା ବିରଳ।

ଏଫ୍‌ଆଇଏଚ୍‌ ଓଡ଼ିଶାକୁ ସୁଯୋଗ ଦେଇଛି ଏବଂ ଆମେ ଏଥିରେ ଅତ୍ୟନ୍ତ ଆନନ୍ଦିତ। ବିଶ୍ୱକପ୍‌କୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। ହକି ପ୍ରତି ସମର୍ଥନ ଅବ୍ୟାହତ ରଖିଥିବାରୁ ଥିଏରୀ ଓ୍ବିଲ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ଭାରତର ସର୍ବବୃହତ୍‌ ଏବଂ ବିଶ୍ୱର ଅନ୍ୟତମ ବୃହତ୍‌ ହକି ଷ୍ଟାଡିୟମ। ଏଠାରେ ପ୍ରତିଯୋଗିତା ଆୟୋଜନକୁ ଆମେ ବ୍ୟଗ୍ରତାର ସହ ଅପେକ୍ଷା କରିଛୁ। ଆସନ୍ତା ଜାନୁୟାରୀରେ ପ୍ରଶଂସକ ଏବଂ ଗଣମାଧ୍ୟମଗୁଡ଼ିକ ରାଉରକେଲା ଆସି ପ୍ରତିଯୋଗିତାକୁ ସାଫଲ୍ୟମଣ୍ଡିତ କରିବେ ବୋଲି ଆମେ ଆଶା ରଖିଛୁ। କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଷ୍ଟାଡିୟମ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରତିନିଧି ମଣ୍ଡଳୀଙ୍କୁ ଅବଗତ କରାଇଥିଲେ।

Related Posts