ମେ ୨୬ ରେ କଳା ଦିବସ ପାଳନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ୪୦ ରୁ ଅଧିକ କୃଷକ ସଂଗଠନର ସମୂହ ସଂଯୁକ୍ତ କିଷାନ ମୋର୍ଚ୍ଚା ଶନିବାର ଦିନ ଘୋଷଣା କରିଛି ଯେ ୨୬ ମେ କୁ ‘କଳା ଦିବସ’ ଭାବରେ ପାଳନ କରିବ। କେନ୍ଦ୍ରର ତିନି କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀ ସୀମାରେ ବିରୋଧର ୬ ମାସ ପୂର୍ତ୍ତି ପାଳନ କରିବ। ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ବଲବୀର ସିଂ ରାଜୱାଲ ଘୋଷଣା କରିଛନ୍ତି ଯେ, ମେ 26 ରେ ନିଜ ଘର, ଯାନ ବାହନ ଏବଂ ଦୋକାନରେ କଳା ପତାକା ଲଗାଇ ବିରୋଧ ପ୍ରଦର୍ଶନ କରିବାକୁ ଆହ୍ବାନ କରିଛନ୍ତି । ରାଜୱାଲ କହିଛନ୍ତି,“ମେ 26 ରେ, ଆମେ ଏହି ବିରୋଧର ଛଅ ମାସ ପୂରଣ କରିବୁ ଏବଂ ଏହା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଠନ କରିବାର ସାତ ବର୍ଷ ପୂରଣ ହେବ।  ଆମେ ଏହାକୁ କଳା ଦିବସ ଭାବରେ ପାଳନ କରିବୁ ।” କୃଷି ଆଇନକୁ ବିରୋଧ କରି ନଭେମ୍ବର 26 ରେ ବହୁ ସଂଖ୍ୟାରେ କୃଷକ ଦିଲ୍ଲୀର ସୀମାରେ ପହଞ୍ଚିଥିଲେ। ପରେ ଜାତୀୟ ରାଜଧାନୀ ଦିଲ୍ଲୀର ଟିକିରି, ସିଙ୍ଘୁ ଏବଂ ଗାଜିପୁର ସୀମାରେ ସାରା ଦେଶରୁ ହଜାର ହଜାର କୃଷକ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ମେ ୨୬ରେ ‘କଳା ଦିବସ’ ପାଳନ ଆହ୍ବାନକୁ ସମର୍ଥନ କରିବାକୁ ରାଜୱାଲ ଲୋକଙ୍କୁ ନିବେଦନ କରିଥିଲେ। ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରିବେ ବୋଲି କୃଷକ ନେତା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଚାଷୀଙ୍କ ଦାବି ଶୁଣି ନାହାଁନ୍ତି ଏବଂ “ସାର, ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି ହେତୁ କୃଷି କରିବା ସମ୍ଭବ ନୁହେଁ”। ନଭେମ୍ବର 2020 ଠାରୁ ଶତାଧିକ କୃଷକ ଦିଲ୍ଲୀ ସୀମାରେ କ୍ୟାମ୍ପ କରି ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରକାଶ ଥାଉକି, ବିକ୍ଷୋଭକାରୀଙ୍କ ସହିତ ସରକାରଙ୍କ ଏକାଧିକ ବାର ବୈଠକ ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। 

Related Posts