(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଧୀରେ ଧୀରେ ଖସୁଛି ହୀରାକୁଦ ଡ୍ୟାମର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଡ୍ୟାମ୍ରୁ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ତେଣୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ସାମାନ୍ୟ କମିଥିବା ବେଳେ ମହାନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ପର୍କରେ ସୂଚନା ଦେଇ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, କଲମା ବ୍ୟାରେଜରୁ ପ୍ରବେଶ କରୁଥିବା ଜଳର ପରିମାଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଏବେ ଆଉ ଅଧିକ ଗେଟ୍ ଖୋଲିବାର ଆବଶ୍ୟକତା ନହିଁ । ଯେତିକି ପାଣି ଆସୁଛି ସେତିକି ପାଣି ମଧ୍ୟ ନିଷ୍କାସିତ ହେଉଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ହୀରାକୁଦ ଡ୍ୟାମ୍ର ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ। ହୀରାକୁଦ ଜଳ ଭଣ୍ଡାରରେ ୫,୦୪,୮୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪,୭୬,୨୯୪ କ୍ୟୁସେକ୍ ଜଳ। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୮୩ ଫୁଟ ଥିବା ବେଳେ ସକାଳ ୮ ସୁଦ୍ଧା ତାହା ଖସି ୬୨୮.୮୧ ଫୁଟରେ ପହଞ୍ଚିଛି। ଏପଟେ ସକାଳ ୬ଟା ସୁଦ୍ଧା ନରାଜରେ ମହାନଦୀ ଜଳସ୍ତର ୨୫.୫୦ ମିଟର ଥିବା ବେଳେ ସକାଳ ୯ଟାରେ ତାହା ବୃଦ୍ଧି ପାଇ ୨୫.୬୭ ମିରେ ପହଞ୍ଚିଛି। ମହାନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ମହାନଦୀ ଜଳ ପ୍ରବେଶ କରିଛି ।
ଅନ୍ୟପକ୍ଷରେ ରାଜଘାଟରେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ସକାଳ ୬ଟାରେ ସୁବର୍ଣ୍ଣରେଖା ଜଳସ୍ତର ୧୦.୩୬ ମିଟର ଥିବା ବେଳେ ସକାଳ ୯ଟାରେ ତାହା ୧୦.୫୧ ମିଟରରେ ପହଞ୍ଚିଛି।