ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର; ରେଙ୍ଗାଳି ଡ୍ୟାମ୍‌ର ଗେଟ୍‌ ଖୋଲିବା ନେଇ ସତର୍କ କରାଇଲା ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ, ଯେକୌଣସି ମୁହୂର୍ତ୍ତରେ ରେଙ୍ଗାଳି ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ। ଗେଟ୍ ଖୋଲିବା ନେଇ ବ୍ରାହ୍ମଣୀ ନଦୀର ଉଭୟ କୂଳରେ ବାସ କରୁଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପଣ୍ଡା। ଗତକାଲି ଅପରାହ୍ନରେ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରରେ ବିଭିନ୍ନ ଗାଁରେ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।

ସୂଚନା ଅନୁସାରେ, ରେଙ୍ଗାଳି ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩. ୫୦ ମିଟର। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୦. ୪୯ ମିଟର ରହିଛି। ଡ୍ୟାମ୍‌ର ଜଳଧାରଣ ସାରଣୀ ଅନୁଯାୟୀ ଆଜି ଜଳସ୍ତର ୧୨୦. ୩୦ ମିଟର ରହିବା କଥା। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୭୫୮୩.୪୫ ଘନ ମିଟର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୫୮୨.୮୯ ଘନ ମିଟର ଜଳ ପାୱାର ହାଉସ୍‌ ଦେଇ ନିଷ୍କାସିତ ହେଉଛି। ପ୍ରତି ଘଣ୍ଟାରେ୨୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି। ଡ୍ୟାମ୍‌ରେ ପ୍ରତି ଘଣ୍ଟାରେ ୮ସେମି ଜଳସ୍ତର ବୃଦ୍ଧି ପାଉଥିବା ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

Related Posts